କନକ ବ୍ୟୁରୋ : ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଏଆଇ ଯୁଗରେ ମଣିଷ ନୂଆ ନୂଆ ଗବେଷଣା ଚିନ୍ତା କରୁଥିବାବେଳେ ସେହି ସମୟରେ ଅସ୍ପୃଶ୍ୟତା ଓ ଘୃଣାର ଶିକାର ହେଉଛନ୍ତି କୁଷ୍ଠ ଆକ୍ରାନ୍ତ ପରିବାର । ଗାଁରୁ ବିତାଡ଼ିତ ହେବା ପରେ ସହରରେ ରହୁଛନ୍ତି ସତ କିନ୍ତୁ ପ୍ରତ୍ୟେକ ମୂହୁର୍ତ୍ତରେ ହେଉଛନ୍ତି ମାନସିକ ନିର୍ୟାତନାର ଶିକାର । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ଓଡିଶା ଗସ୍ତରେ ଆସି କୁଷ୍ଠ ଆକ୍ରାନ୍ତ ସ୍ଥିତି କଲେ ଦୁଖ ପରକାଶ ।

Advertisment

ଦିନେ କି ଦୁଇ ଦିନ ନୁହଁ, ଏମିତି ପ୍ରତ୍ୟେକ ମୁହୂର୍ତ୍ତରେ ଲଳିତାଙ୍କ ଆଖିରେ ଜକେଇ ଆସୁଛି ଲୁହ । ସ୍ୱାମୀଙ୍କ ସମେତ ଶାଶୁ ଶ୍ୱଶୁରଙ୍କୁ କୁଷ୍ଠ ହୋଇଛି । ଏଥିପାଇଁ ବିବାହ ପରଠାରୁ ଭୁବନେଶ୍ୱରସ୍ଥିତ ଜଗନ୍ନାଥ କୁଷ୍ଠ କଲୋନୀରେ ରହୁଛନ୍ତି ଲଳିତା । କୁଷ୍ଠ ହୋଇଥିବାରୁ ଅନେକ ନିର୍ଯାତନା ସହିବାକୁ ପଡିଛି । ଆଜିର ଦିନରେ ବି କୁଷ୍ଠ ବ୍ୟକ୍ତିଙ୍କ ସହ ଅନେକ ମିଶିବାକୁ ଚାହୁଁନଥିବା କହିଛନ୍ତି ଲଳିତା । ଗାଁରୁ ବାସନ୍ଦ ହେଲାପରେ ରାଜଧାନୀ ଭୁବନେଶ୍ୱରରେ କୁଷ୍ଠ କଲୋନୀରେ ରହୁଛନ୍ତି ଶହ ଶହ ପରିବାର । କିନ୍ତୁ ନିଜର ଜମି ବୋଲି କିଛି ନାହିଁ ।

ଭାରତକୁ କୁଷ୍ଠ ମୁକ୍ତ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି । ଅନେକ ଟଙ୍କା ବି ଖର୍ଚ୍ଚ ହେଉଛି । କିନ୍ତୁ ପ୍ରକୃତରେ କେମିତି ଅଛନ୍ତି କୁଷ୍ଠ ରୋଗୀ ସେହି ସ୍ଥିତି ପରଖିବା ପାଇଁ ଓଡିଶା ଆସିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି । କୁଷ୍ଠ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗୁଡ ୱିଲ୍‌ ଆମ୍ବାସଡର ଭୁବନେଶ୍ୱରର ବିଭିନ୍ନ କୁଷ୍ଠ ଆଶ୍ରମ ପରିଦର୍ଶନ କରିଛନ୍ତି । କୁଷ୍ଠ କଲୋନୀର ଅନ୍ତେବାସୀଙ୍କ ସହ ଅନେକ ସମୟ ବିତାଇଥିଲେ । ସୁଖ ଦୁଖ ବି ବୂଝିଥିଲେ । ଓଡିଶାରେ ଏବେବି କୁଷ୍ଠ ପରିବାର ଘୃଣାର ଶିକାର ହେଉଛନ୍ତି ବୋଲି କହିଛନ୍ତି ଆମ୍ବାସଡର ।

(କୁଷ୍ଠ ମୁକ୍ତ ଭାରତ ପାଇଁ ଅନେକ ଯୋଜନା ହେଉଛି । କୁଷ୍ଠ ରୋଗୀଙ୍କୁ ଘୃଣା ନକରିବାକୁ ଜନସଚେତନା ଅଭିଯାନ ବି ଚାଲିଛି । କିନ୍ତୁ ଏବେବି କୁଷ୍ଠ ରୋଗରେ ଆକ୍ରାନ୍ତ ଲୋକଙ୍କ ସ୍ଥିତି ବଦଳିନି । କୁଷ୍ଠ ରୋଗୀ ଏବେ ଘୃଣାର ଶିକାର ହେଉଛନ୍ତି। କୁଷ୍ଠ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କଲୋନୀ ବୁଝାଇଦେଉଛି ଯେ, ଏବେବି ଏହି ବର୍ଗ ଅସ୍ପୃଶ୍ୟତାର ଶିକାର ହେଉଛନ୍ତି । ଏମିତି ସ୍ୱତନ୍ତ୍ର ବସ୍ତି ନୁହଁ ଏହି ବର୍ଗ ସମାଜର ସବୁ ବର୍ଗ ସହ କିଭଳି ଳହିପାରିବେ ସେହି ବ୍ୟବସ୍ଥା କରାଯିବା ଉଚିତ ।)

ସମାଜ ଭିତରେ ରହୁଥିଲେ ବି ଏହି ବର୍ଗକୁ ଅନେକ ସମାଜର ମୁଖ୍ୟ ଅଙ୍ଗ ହେବାକୁ ଦେଇନାହାନ୍ତି । ତଥାପି ସମ୍ମାନ ସହ ବଞ୍ଚିବାକୁ ଲଢେଇ ଜାରି ରଖିଛନ୍ତି କୁଷ୍ଠ ପରିବାର ।