କନକ ବ୍ୟୁରୋ : ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ ଗୁଡ଼ିକ ଏଥର ଯେମିତି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଧନୁଯାତ୍ରା କମିଟି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ନିର୍ମାଣ ପାଇଁ କାରିଗର ମାନେ ଦିନରାତି କାମ ଜାରି ରଖିଛନ୍ତି । ଯାତ୍ରା ସମୟରେ ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଆଜିଠୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା । ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇଉଠିଛଉି ।
ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । କଲିକତାରୁ ୨୫ ଜଣ କାରିଗର ଆସି ଦିନରାତି କାମ କରୁଛନ୍ତି । ଚଳିତବର୍ଷ କଂସଙ୍କ ରାଜଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ କମିଟି ଅଧିକ ଗୁରୁତ୍ୱ ଦେଉଛି । ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ଏଥିପାଇଁ ଭୁବନେଶ୍ୱର ଓମ୍ କ୍ରିଏସନରୁ କାରିଗର ଆସି କାମ ଜାରି ରଖିଛନ୍ତି । ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧି ମଧ୍ୟରେ ୧୪ ଟି ମଂଚରେ ଏହି ଧନୁଯାତ୍ରା ମହୋତ୍ସବ ହେବ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ ।