କନକ ବ୍ୟୁରୋ : ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟନ୍ତ ଆବଶ୍ୟକ । ପରିବେଶ ବଞ୍ଚିଲେ ଜୀବଜଗତ ବଞ୍ଚିବ । କିନ୍ତୁ ଆମେ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଉ । ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ ଏହି ମଣିଷ ସମାଜ । ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ । ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ । ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ ।
ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ । ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ସୁରକ୍ଷା ଦିଗରେ ସଚେତନ କରାଇବା । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ ।
ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା । ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ ।
ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପରିବେଶ ଦିବସ ପାଳନ କରା ଯାଇଥାଏ । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଥିମ୍ ହେଉଛି ‘ ଏଣ୍ଡ୍ ଅଫ୍ ପ୍ଲାଷ୍ଟିକ୍ ପଲ୍ୟୁସନ ’ ।