ଦେଢ଼ ବର୍ଷରେ ବଦଳିଗଲା ବିଶ୍ୱକପ୍‌ ଟିମ୍‌ : ନୂଆ ଟିମ୍‌ରେ ନାହାନ୍ତି ୭ ଚାମ୍ପିୟନ ଖେଳାଳି

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଦେଢ଼ ମାସ ସମୟ ବାକି ଅଛି । ଏଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଦେଢ଼ ମାସ ସମୟ ବାକି ଅଛି । ଏଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ।

Team India (7)

Photograph: (KANAKNEWS)

କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଦେଢ଼ ମାସ ସମୟ ବାକି ଅଛି । ଏଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ । ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ ନିଜ ମାଟିରେ 'ଡିଫେଣ୍ଡିଂ ଚାମ୍ପିଅନ୍' ଭାବେ ଟାଇଟଲ୍ ବଞ୍ଚାଇବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଟିମ୍ ଇଣ୍ଡିଆ ଏଥର ମଧ୍ୟ ଟାଇଟଲର ବଡ଼ ଦାବିଦାର ରହିଛି । 

ଏହାର ପ୍ରମାଣ ହେଉଛି ଯେ, ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ୨୦ଟି ଦଳ ମଧ୍ୟରୁ ଭାରତ ସର୍ବପ୍ରଥମେ ନିଜର ସ୍କ୍ୱାଡ୍ ଘୋଷଣା କରିଛି । ଏଥର ଚାମ୍ପିଅନ୍‌ ହେବା ପାଇଁ ଯେଉଁ ଭାରତୀୟ ଦଳ ମୈଦାନକୁ ଓହ୍ଲାଇବ, ତାହା ଗତ ବିଶ୍ୱକପ୍ ତୁଳନାରେ ବେଶ୍ ଅଲଗା ଦେଖାଯିବ । ଏଥର ଦଳରେ  ହୋଇଛି ୭ଟି ବଡ଼ ପରିବର୍ତ୍ତନ, ଯାହା ଟିମ୍ ଇଣ୍ଡିଆକୁ ଦେଇଛି ଏକ ନୂଆ ରୂପ ।  

ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାପ୍ଟେନ୍ସି ରେ ଭାରତୀୟ ଦଳ ଟି୨୦ ବିଶ୍ୱକପରେ ନିଜର ଟାଇଟଲ୍ ବଞ୍ଚାଇବା ପାଇଁ ମୈଦାନକୁ ଓହ୍ଲାଇବ ।  ସ୍କାଏଙ୍କ ସମେତ ଏଭଳି ଅନେକ ଖେଳାଳି ରହିଛନ୍ତି, ଯେଉଁମାନେ ୨୦୨୪ ଚାମ୍ପିଅନ୍‌ ଟିମ୍‌ର ସଦସ୍ୟ ଥିଲେ ଏବଂ ସେମାନଙ୍କ ପାଖରେ ବିଶ୍ୱ ବିଜେତା ହେବାର ଭରପୂର ଅଭିଜ୍ଞତା ରହିଛି। ତେବେ ଅଭିଜ୍ଞ ଖେଳାଳିଙ୍କ ସହ ଏଥର ଦଳରେ କିଛି ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ବିସ୍ଫୋରକ ଓପନର୍ ଅଭିଷେକ ଶର୍ମା ଏବଂ ଯୁବ ବ୍ୟାଟର ତିଲକ ବର୍ମାଙ୍କ ଭଳି ଖେଳାଳି ଏଥର ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି ।  

୨୦୨୪ ଏବଂ ୨୦୨୬ ବିଶ୍ୱକପ୍ ସ୍କ୍ୱାଡ୍ ମଧ୍ୟରେ ତୁଳନା କଲେ ଦେଖିବାକୁ ମିଳୁଛି ଯେ, ଗତ ବିଶ୍ୱକପ୍ ଖେଳିଥିବା ଭାରତୀୟ ଦଳରୁ ଏଥର ୭ ଜଣ ପ୍ରମୁଖ ଖେଳାଳି ବାଦ୍ ପଡ଼ିଛନ୍ତି । ସେମାନେ ଏଥର ବିଶ୍ୱକପ୍ ମୈଦାନରେ ନଜର ଆସିବେ ନାହିଁ । ଏହି ତାଲିକାରେ ସବୁଠାରୁ ବଡ଼ ନାମ ହେଉଛି ଦୁଇ କ୍ରିକେଟ୍ ମହାରଥୀ ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ।

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏହି ଦୁଇ ଷ୍ଟାର୍ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ତେଣୁ ଏଥର ସେମାନେ ଦଳରେ ନାହାନ୍ତି। ରୋ-କୋ ଯୋଡ଼ି ବ୍ୟତୀତ ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଗତ ବିଶ୍ୱକପ୍ ବିଜୟ ପରେ ଅବସର ଘୋଷଣା କରିଥିଲେ । ଏହି ତିନି ଅଭିଜ୍ଞ ଖେଳାଳିଙ୍କ ବିନା ଟିମ୍ ଇଣ୍ଡିଆ ଏଥର ଏକ ନୂଆ ରୂପରେ ବିଶ୍ୱକପ୍ ଟାଇଟଲ୍ ବଞ୍ଚାଇବାକୁ ଓହ୍ଲାଇବ।  

ରୋହିତ-ବିରାଟଙ୍କ ପରେ ଏବେ ଆଉ ୪ ଜଣ ପ୍ରମୁଖ ଖେଳାଳିଙ୍କୁ ଦଳରୁ ବାଦ୍ ବା 'ଡ୍ରପ୍' କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଗରକର ଏଥର ଦଳରେ କଡ଼ା ନିଷ୍ପତ୍ତି ନେଇ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ, ଫାଷ୍ଟ ବୋଲର ମହମ୍ମଦ ସିରାଜ, ଯୁବ ଓପନର୍ ଯଶସ୍ୱୀ ଜୟସ୍ୱାଲ ଏବଂ ସ୍ପିନର୍ ଚହଲଙ୍କୁ ବିଶ୍ୱକପ୍ ସ୍କ୍ୱାଡରୁ ବାଦ୍ ଦେଇଛନ୍ତି । 
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯଶସ୍ୱୀ ଜୟସ୍ୱାଲଙ୍କୁ ଏଥର ସୁଯୋଗ ନ ମିଳିବା । ଏହି ୪ ଜଣଙ୍କ ମଧ୍ୟରୁ ଜୟସ୍ୱାଲ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇବା ପାଇଁ ସବୁଠାରୁ ବଡ଼ ଦାବିଦାର ଥିଲେ, ହେଲେ ଚୟନକର୍ତ୍ତାମାନେ ତାଙ୍କୁ ମଧ୍ୟ ଏଥର ଭରସା କରିନାହାନ୍ତି । ପନ୍ତ ଓ ସିରାଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଡ୍ରପ୍ କରାଯିବା ଏବେ କ୍ରିକେଟ୍ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପରିବର୍ତ୍ତନ ପରେ ନୂଆ ଚେହେରାଙ୍କୁ ନେଇ ଗଠିତ ଟିମ୍ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି, ତାହା ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe