କନକ ବ୍ୟୁରୋ: ବିରାଟଙ୍କ ଭଳି ବ୍ୟାଟିଂ, ବିରାଟଙ୍କ ଭଳି ଷ୍ଟାଇଲ, ସେଥିପାଇଁ ତ ତାଙ୍କୁ କୁହାଯାଉଥିଲା ଭାରତର ଦ୍ୱିତୀୟ ବିରାଟ । ହେଲେ କ୍ରିକେଟ ମୈଦାନରେ ବେଶୀ ଦିନ ତିଷ୍ଟି ପାରିନଥିଲେ ଏହି ଖେଳାଳି । ୨୦୧୨ ମସିହାରେ ଭାରତକୁ ୧୯ ବର୍ଷରୁ କମ ବିଶ୍ୱକପରେ ଚାମ୍ପିୟନ କରିବା ପରେ ଚମକି ଥିଲା ଉନ୍ମୁକ୍ତ ଚାନ୍ଦଙ୍କ ଭାଗ୍ୟ । ୨୦୧୧ରୁ ୨୦୧୬ ଆଇପିଏଲ ଖେଳିବା ପରେ ହଠାତ କେଉଁଆଡେ ଉଭାନ ହୋଇଯାଇଥିଲେ ଉନ୍ମକ୍ତ ଚାନ୍ଦ । ଆଉ ଏବେ ୯ ବର୍ଷ ପରେ ସେ ବିଦେଶୀ ଖେଳାଳି ଭାବେ ୨୦୨୫ ଆଇପିଏଲ ମେଗା ଅକ୍ସନରେ ସାମିଲ ହୋଇଛନ୍ତି । 

Advertisment

ଉନ୍ମକ୍ତ ଚାନ୍ଦଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କୁହାଯାଉଥିଲା । କାରଣ ୨୦୧୨ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପରେ ତାଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ବିଶ୍ୱ ବିଜେତା ବନିଥିଲା । ଏହାପରେ ଆଇପିଏଲରେ ଖେଳିବାକୁ ତାଙ୍କୁ ଭରପୂର ସୁଯୋଗ ମିଳିଥିଲେ ବି ସେ ତାହାକୁ ଉପଯୋଗ କରିପାରିନଥିଲେ । ଯାହା ଫଳରେ ଟିମ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିପାରିନଥିଲେ । ତେଣୁ କିଛି ବର୍ଷ ସେ କ୍ରିକେଟରୁ ଦୂରେଇ ଯାଇଥିଲେ । 

୪ ବର୍ଷ ଧରି କ୍ରିକେଟରୁ ଉଭାନ ହୋଇଯିବା ପରେ ଦେଶ ଛାଡି ଆମେରିକା କ୍ରିକେଟରେ ନିଜ ଭାଗ୍ୟ ଉଦୟ କରିଥିଲେ ଉନ୍ମକ୍ତ । ୨୦୨୧ ମସିହାରେ ଭାରତୀୟ କ୍ରିକେଟରୁ ଅବସର ନେଇ ସେ ଆମେରିକା ତରଫରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଆମେରିକାରେ ସେ ଘରୋଇ ପ୍ରିମିୟର ଲିଗ୍ ଖେଳି ସାରିଛନ୍ତି । ଆମେରିକା ନ୍ୟାସନାଲ ଟିମରେ ସେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ବି ଏ ଯାଏଁ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ । ବର୍ତ୍ତମାନ ଉନ୍ମକ୍ତ ୯ ବର୍ଷ ପରେ ପୁଣି ଆଇପିଏଲକୁ ଫେରିଛନ୍ତି । ୨୦୨୫ ଆଇପିଏଲ ମେଗା ଅକ୍ସନରେ ତାଙ୍କ ନାଁ ସାମିଲ କରାଯାଇଛି । ସେ ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରଖିଛନ୍ତି । 

ଅଣ୍ଡର ୧୯ ବିଶ୍ୱକପରେ ଉନ୍ମୁକ୍ତ ଫାଇନାଲ ମ୍ୟାଚରେ ଶତକୀୟ ପାଳି ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ । ଏହାପରେ ତାଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳିଥିଲା । ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ଭଳି ଟିମ ପକ୍ଷରୁ ଉନ୍ମକ୍ତ ଆଇପିଏଲ ଖେଳି ସାରିଛନ୍ତି । ଆଉ ଏତେ ବର୍ଷ ପରେ ଆଇପିଏଲରୁ ଦୂରେଇ ରହିବା ପରେ ଏବେ ପୁଣି ସେ ଆଇପିଏଲ ଫେରିବାକୁ ଇଚ୍ଛା କରିଛନ୍ତି । ଆଉ ଫ୍ୟାନ୍ସ ବି ତାଙ୍କ ବ୍ୟାଟିଂ ଦେଖିବାକୁ ଚାହିଁ ରହିଛନ୍ତି ।