କନକ ବ୍ୟୁରୋ: ଭାରତର ବିକାଶରେ ବିଶ୍ବବ୍ୟାଙ୍କର ମୋହର । ବଦଳିଛି ଗରିବୀର ସଂଜ୍ଞା, ଦେଶରେ କମିଛି ଗରିବଙ୍କ ସଂଖ୍ୟା । ଅତ୍ୟନ୍ତ ଦାରିଦ୍ର୍ୟ ହାରରେ ବ୍ୟାପକ ହ୍ରାସ, ୨୦୧୧-୧୨ ଆର୍ଥିକ ବର୍ଷରେ ୨୭.୧ ପ୍ରତିଶତ ଥିବା ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ମାତ୍ର ୫.୩ ପ୍ରତିଶତକୁ ହ୍ରାସ ପାଇଛି । ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତ ବିଗତ ଦଶନ୍ଧିରେ ବଡ଼ ଅଗ୍ରଗତି କରିଛି । ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା । ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି । ଅର୍ଥାତ୍ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି । ୨୦୧୧-୧୨ରେ ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ଲୋକ ବାସ କରୁଥିଲେ । ୨୦୨୨-୨୩ ବେଳକୁ ଏହା ୫.୩ ପ୍ରତିଶତକୁ ଖସି ଆସିଛି । ବିଶ୍ବବ୍ୟାଙ୍କର ସଦ୍ୟତମ ବିଶ୍ବ ଦାରିଦ୍ର୍ୟ ତଥ୍ୟରୁ ଏହା ଜଣାଯାଇଛି ।
ଦାରିଦ୍ର୍ୟ ମାପ ମାନଦଣ୍ଡକୁ କଡ଼ାକଡ଼ି କରାଯିବା ସତ୍ତ୍ବେ ଭାରତ ଏହି ସଫଳତା ହାସଲ କରିଛି । ପୂର୍ବରୁ ଦାରିଦ୍ର୍ୟ ମାପ ପାଇଁ ଦୈନିକ ଖର୍ଚ୍ଚ ୨.୧୫ ଡଲାର ରହିଥିବାବେଳେ ନୂଆ ମାନଦଣ୍ଡରେ ଏହାକୁ ୩ ଡଲାରକୁ ବୃଦ୍ଧି କରାଯାଇଛି । ସେହିଭଳି ନୂଆ ମାପରେ ୨୦୨୧ ମସିହାର କ୍ରୟ ଶକ୍ତି ସମତାକୁ ବିଚାରକୁ ନିଆଯାଇଛି । ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା ୨୦୧୧-୧୨ରେ ଦେଶରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ମୋଟ ଲୋକଙ୍କ ମଧ୍ୟରୁ ୬୫ ପ୍ରତିଶତ ୫ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ରହୁଥିଲେ । ୨୦୨୨-୨୩ ସୁଦ୍ଧା ଭାରତର ଉତ୍କଟ ଦାରିଦ୍ର୍ୟରେ ଯେଉଁ ମୋଟ ହ୍ରାସ ଘଟିଛି ସେଥିରେ ଉପରୋକ୍ତ ୫ଟି ରାଜ୍ୟର ଯୋଗଦାନ ଦୁଇ ତୃତୀୟାଂଶ ରହିଛି ।
ନୂଆ ମାନଦଣ୍ଡ ଅନୁସାରେ ଭାରତରେ ନିମ୍ନ-ମଧ୍ୟବିତ୍ତ ବର୍ଗ ସୀମାରେଖା ତଳେ ୨୦୧୧-୧୨ରେ ୫୭.୭ ପ୍ରତିଶତ ଭାରତୀୟ ରହିଥିଲେ । ୨୦୨୨-୨୩ରେ ଏହା ୨୩.୯ ପ୍ରତିଶତକୁ ହ୍ରାସ ପାଇଛି । ଉପରୋକ୍ତ ୧୧ ବର୍ଷ ମଧ୍ୟରେ ନିମ୍ନ-ମଧ୍ୟବିତ୍ତ ଶ୍ରେଣୀର ସୀମାରେଖା ମଧ୍ୟରେ ଥିବା ଲୋକଙ୍କ ସଂଖ୍ୟା ୭୩.୨୪ କୋଟିରୁ ହ୍ରାସ ପାଇ ୩୪.୨୩ କୋଟି ରହିଛି । ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ମାପ ନେଇ କରିଥିବା ସଂଶୋଧନରେ ବିଶ୍ବରେ ଉତ୍କଟ ଦାରିଦ୍ର୍ୟ ହାର ୨୦୨୨ ମସିହା ପାଇଁ ୯ ପ୍ରତିଶତରୁ ୧୦.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ବିଶ୍ବରେ ୭୧.୩ କୋଟିରୁ ବୃଦ୍ଧି ପାଇ ୮୩.୮ କୋଟିରେ ପହଞ୍ଚିଛି ।