କନକ ବ୍ୟୁରୋ : ସେ ମନୁଷ୍ୟ ହେଉ କି, ପଶୁପକ୍ଷୀ କିମ୍ବା ସରୀସୃପ । ସମସ୍ତଙ୍କ ବୟସ ତୁଳନାରେ ସେମାନଙ୍କର ଓଜନ ଓ ଉଚ୍ଚତାର ବୃଦ୍ଧି ଘଟିଥାଏ । ହେଲେ କିଛି କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦିଏ । ଏଥିପାଇଁ କେହି ବଂଶାନୁକ୍ରମିକ ଗୁଣକୁ ଦାୟୀ କରିଥାନ୍ତି ତ କେହି ପ୍ରକୃତିର ନିୟମ ବୋଲି ଭାବି ନେଇଥାନ୍ତି । ତାହା ବି ପୁଣି ସାମାନ୍ୟ କିଛି ପରିବର୍ତ୍ତନ କ୍ଷେତ୍ରରେ । ହେଲେ ଆଜି ଆମେ ଆପଣଙ୍କୁ ଯାହା ଦେଖାଇବାକୁ ଯାଉଛୁ ତାହା ପାଇଁ ଆପଣ କାହାକୁ ଦାୟୀ କରିବେ ।
ଥାଇଲାଣ୍ଡ, ବିଶେଷ ଭାବେ ଏକ ଥଣ୍ଡା ପ୍ରବଣ ଦେଶ । ଏଠାରେ ମଣିଷମାନେ ସର୍ବାଧିକ ଗୋରା ହୋଇଥିବା ବେଳେ ପଶୁପକ୍ଷୀଙ୍କ ଶରୀର ବି ସର୍ବଦା ଚିକ୍କଣ ରହିଥାଏ । ହେଲେ ଏଠାରେ ଏକ ଅଜବ ପ୍ରକାରର ମଇଁଷି ଦେଖିବାକୁ ମିଳିଛି । ଅଜବ ଅର୍ଥ ଏହା ସାଧାରଣ ମଇଁଷି ଭଳି ଦେଖିବାକୁ ହୋଇଥିଲେ ବି ଏହାର ବୟସ ତୁଳନାରେ ଉଚ୍ଚତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଥାଇଲାଣ୍ଡର ନିନଲାନୀ ଫାର୍ମରେ ରହିଛି ଏହି ମଇଁଷି । ମଇଁଷିଟିର ବୟର ମାତ୍ର ୩ ବର୍ଷ ହୋଇଥିଲେ ବି ଏହାର ଉଚ୍ଚତା ଏବେ ୬ ଫୁଟ୍ ୮ ଇଂଚ୍ । ଏହାକୁ ଏବେ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଗଣନା କରାଯାଉଛି ।
ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ମୁତାବକ ଏହି ମଇଁଷିଟିର ଉଚ୍ଚତା ସାମାନ୍ୟ ବୟସ୍କ ମଇଁଷି ଠାରୁ ୨୦ ଇଞ୍ଚ୍ ଅଧିକ । ଏହି ମଇଁଷିଟିର ନାମ ରହିଛି କିଙ୍ଗ କଙ୍ଗ୍ । ନିଜର ନିଆରା ଉଚ୍ଚତାକୁ ନେଇ ଚର୍ଚ୍ଚାରେ ଥିବା କିଙ୍ଗକଙ୍ଗ ବି ନିଜର ଶାରିରୀକ ଗଠନକୁ ନେଇ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ଅନ୍ୟପଟେ ଏତେ ବିଶାଳ ଶରୀର ହୋଇଥିଲେ ବି କିଙ୍ଗ କଙ୍ଗ ସ୍ୱଭାବରେ ଅତି ସରଳ । ପୋଖରୀ ପାଣିରେ ମସ୍ତି କରିବା ସହ କଦଳୀ ଖାଇବାକୁ ବେସ୍ ପସନ୍ଦ କରେ କିଙ୍ଗ କଙ୍ଗ । ମଇଁଷିଟି ୨୦୨୧ ଏପ୍ରିଲ ପହିଲାରେ ଜନ୍ମଗ୍ରହଣ କରିଥିଲା । ଏହାର ମାଲିକ ଚେରପଟ ବୁଟ୍ଟୀ କହିଛନ୍ତି ଏତେ ବିଶାଳ ଶରୀର ସତ୍ୱେ ସେ ଅତି ଶାନ୍ତ ସ୍ୱଭାବର ।