କନକ ବ୍ୟୁରୋ : ପୁଣି ଦାଦନ ଦୁଃଖ । ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ିଥିଲା ପୁଅ। ଅଭାବ ଅନଟନରେ ବଂଚୁଥିବା ପରିବାର ଭାବିଥିଲା, ପୁଅ ରୋଜଗାର କଲେ ଦୁଃଖ ଅପସରିଯିବ । କିନ୍ତୁ ସମୟ ବଦଳିଗଲା, ଦୁଃଖ ବଢ଼ିଗଲା ।  

Advertisment

ଘର ପାଖରେ ମିଳିଲା ନାହିଁ ରୋଜଗାର ପନ୍ଥା। ଘରେ ପେଟପୂରା ଖାଇବା ଗଣ୍ଡାଏ ମିଳିବା କଷ୍ଟକର ହେଲା । ତେଣୁ ଠିକାଦାର କଥାରେ ପଡ଼ି ଘର ଛାଡ଼ି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଗଲା ଭେଣ୍ଡିଆ ପୁଅ। ସେଠି କାମ କରି ପରିବାର ପୋଷିବା ବଦଳରେ ପରିବାର ପାଇଁ ଦୁଃଖ ପାଲଟିଯାଇଛନ୍ତି ନବରଙ୍ଗପୁର ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ୟୁଭି ୫୨ ଗାଁର ଅଭିଜିତ ମଜୁମଦାର। କାରଖାନାରେ କାମ କରିବାକୁ ଯାଇଥିବା ପୁଅ ୩ ମହଲା କୋଠାରେ ରଙ୍ଗ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ପଡ଼ିଛି। ହାତ, ଗୋଡ଼, ଅଣ୍ଟା ଭାଙ୍ଗି ଯାଇଛି ।

ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଅଭିଜିତଙ୍କ ଚିକିତ୍ସା ଚାଲିଛି। ବିଏସ୍‌କେୱାଇ କାର୍ଡରେ ଥିବା ସମସ୍ତ ଟଙ୍କା ସରିଯାଇଛି । ବାପା ମଧ୍ୟ ଜମିବାଡି ବିକି ସାରିଲେଣି । ଏବେ ପାଖରେ କାଣି କଉଡ଼ିଟିଏ ନଥିବାରୁ ପୁଅର ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଅସହୟ ବାପା-ମାଆ। ସେପଟେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଅଭିଜିତ୍ ପଞ୍ଜୀକରଣ କରିନାହାନ୍ତି।  ଘଟଣାର ଗୁରୁତ୍ବକୁ ଦେଖି ଅଭିଜିତଙ୍କ ଚିକିତ୍ସା ପାଇଁ ତୁରନ୍ତୁ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ।