କନକ ବ୍ୟୁରୋ : ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମ ନ ସାରିବା ନେଇ ବିରକ୍ତ ହୋଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର । ଉଚ୍ଚସ୍ତରୀୟ ବୈଠକରେ ସବୁ ବିଭାଗୀୟ ଅଧିକାରୀଙ୍କୁ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି। 
- ଅକ୍ଟୋବର ୬ ସୁଦ୍ଧା କେନାଲ ମୋଡ଼ ବଦଳିବ
- ସେପ୍ଟେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ ସରିବ 
- ମାସେ ଭିତରେ ଶେଷ ହେବ ଜମି ମ୍ୟୁଟେସନ୍‌ 
- ବିସ୍ଥାପିତଙ୍କୁ ତୁରନ୍ତ ଥଇଥାନ କରାଯିବ 
ପ୍ରଶାସନ ପାଖରେ ୩୨ ଏକର ଜମି ଥିଲା ବେଳେ ଆହୁରି ୫୦ ଏକର ଜମି ଆବଶ୍ୟକ ହେଉଛି । ସେଥିରୁ ୪୦ ଏକର ଜମି ସରକାରୀ ଓ ବାକି ଘରୋଇ ଜମି ଅଧିଗ୍ରହଣ କରାଯିବ । ତେଣୁ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଶାସନ ସରକାରୀ ଜମିକୁ ବାଣିଜ୍ୟ ଓ ପରିବହନ ବିଭାଗ ନାଁରେ ଲିଜ୍‌ କାମ ସାରିବାକୁ କୁହାଯାଇଛି । 

Advertisment

 ଅନ୍ୟପଟେ ବିମାନବନ୍ଦର ସମ୍ପ୍ରସାରଣ ନାଁରେ ବଳି ପଡ଼ିଛି ହଜାର ହଜାର ଗଛ । ହେଲେ ଏହା ବଦଳରେ କେଉଁଠି ହୋଇଛି ବନୀକରଣ, ତାର ଜବାବ ମାଗିଛନ୍ତି ଆରଡିସି । ବନବିଭାଗ ଓ ବନ କଲ୍ୟାଣ ନିଗମକୁ ଏହାର ଜବାବ ମାଗିଛନ୍ତି ଆରଡିସି । ସେପଟେ ଗ୍ରିନଫିଲଡ ବିମାନବନ୍ଦର ଦାବି ଥମୁନି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା । ହୁମ୍ମା ଲବଣ ଜମିରେ ଏହା କରିବାକୁ ସେ ଦାବି କରିଛନ୍ତି। 
୨-ବି  କ୍ୟାଟାଗୋରିର ଏହି ବିମାନବନ୍ଦରରେ ୧୦୯୦ ମିଟର ରନ୍‌-ୱେ ରହିବ । ୨୦୨୩ ମସିହାରୁ ଏହି ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା ବେଳେ ଡିସେମ୍ବର ସୁଦ୍ଧା ସବୁ କାମ ସାରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।