କନକ ବ୍ୟୁରୋ: ଯଦିଓ ବିହାର ବିଧାନସଭା ନିର୍ବାଚନ ପାଇଁ ବିହାର ମହାଗଠବନ୍ଧନ ମଧ୍ୟରେ ଆସନ ବୁଝାମଣା ହୋଇପାରୁନି କିନ୍ତୁ ବିଜେପି ବିରୋଧରେ ଏକାଠି ହେବାକୁ ହାତ ମିଳାଇଛନ୍ତି ବିରୋଧୀ । ଯାହା ଆଜି ପାଟଣା ରାଲିରେ ଦେଖିବାକୁ ମିଳିଛି । ପଟଣାରେ ରାହୁଲଙ୍କ ଗର୍ଜନ ଦର୍ଶାଉଥିଲା ବିହାର ଭୋଟର ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ କିଭଳି ଅସନ୍ତୋଷ ଅଛନ୍ତି । ଭୋଟର ସଂଶୋଧନ ପ୍ରକ୍ରିୟାକୁ ଭୋଟ୍‌ ଚୋରିର ଆଖ୍ୟା ଦେଇଛନ୍ତି ବିରୋଧୀ ଦଳ ନେତା । କେବଳ ସେତିକି ନୁହେଁ ଏହା ଦ୍ବାରା ଭୋଟରଙ୍କ ଅଧିକାର ଛଡ଼ାଯିବ, ବିହାରର ଭୋଟରଙ୍କ ଭବିଷ୍ୟତ ନଷ୍ଟ ହେବ କହି ରାଜ୍ୟବାସୀଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆହ୍ବାନ ଦେଇଛନ୍ତି ।

ମହାରାଷ୍ଟ୍ରର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନର ଉଦାହରଣ ଦେଇ ରାହୁଲ ନିଜ ବୟାନରେ ଅଟଳ ଅଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ପୂର୍ବରୁ ଇସିଆଇ ଓ ବିଜେପି ଭୋଟର ତାଲିକାରେ ବଡ ଧରଣର ଅଦଳବଦଳ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସାର୍ବଜନୀନ ଭାବେ କିଛି ତଥ୍ୟ ମଧ୍ୟ ରଖିଥିଲେ । କେବଳ ୪ମାସ ବ୍ୟବଧାନରେ ଲୋକସଭା ନିର୍ବାଚନ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହୋଇଥିଲା । ତେବେ ବି ଏକ କୋଟି ଅଧିକ ଭୋଟର କିଭଳି ଆସିଲେ ବୋଲି ପ୍ରଶ୍ନ କରିବା ସହ କିଛି ତଥ୍ୟକୁ ସାର୍ବଜନୀନ କରି ଇସିଆଇଙ୍କୁ ପ୍ରଶ୍ନ କରିଥିଲେ । ଯାହାର ସନ୍ତୋଷଜନକ ଉତର ନଦେବା,  ବିହାରକୁ ନେଇ ରାହୁଲଙ୍କ ସମାନ ଦାବି ହୁଏତ ଅଳ୍ପବହୁତଭାବେ ଭୋଟରଙ୍କ ଉପରେ ପ୍ରଭାବିତ କରିପାରେ ।

ଚଳିତବର୍ଷ ଶେଷସୁଦ୍ଧା ବିହାର ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ଜୁନ ୨୨ରେ ବିହାରର ପାଇଁ ମୁଖ୍ୟ ନିର୍ବାଚନ କମିଶନ ଭୋଟର ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କମିଶନ କହିଛନ୍ତି ଏହାଦ୍ବାରା ନୂଆ ଭୋଟର ଯୋଡି ହେବା ସହ ଅବୈଧଭାବେ ଦେଶରେ ରହୁଥିବା ଭୋଟରଙ୍କୁ ବାଦ ଦିଆଯିବ ।