କନକବ୍ୟୁରୋ ଅବଧି ସରି ବର୍ଷେ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କଳାହାଣ୍ଡି ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଠିକା ସଂସ୍ଥା ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମନମୁଖୀ କାମ ଯୋଗୁଁ ଆଗେଇ ପାରୁନାହିଁ କାମ । ଖରା ଆରମ୍ଭରୁ ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ନଳକୂଅର ଗୋଳିଆ ପାଣି ପିଉଛନ୍ତି ଲୋକେ । ଏପରିକି ଖରାରେ ନାଳ ଓ ଚୁଆର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳରାମପୁର ଓ କଲମପୁର ବ୍ଲକର ବିଭିନ୍ନ ଗାଁରୁ ।
ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାମ ପାଇଁ ଏଭଳି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ରାସ୍ତା କଡରେ ପାଣି ପାଇପ ପଡିରହିଛି ହେଲେ ଏବେ ବି ଅନେକ ଗାଁକୁ ସଂଯୋଗ ହୋଇପାରିନାହିଁ । ଅନ୍ୟପଟେ ଗାଁ ଓ ବିଭିନ୍ନ ସାହିରେ ପାଇପ ପୋତିବା ପାଇଁ କଂକ୍ରିଟ ରାସ୍ତାକୁ ଜେସିବି ସହାୟତାରେ ଗାତକରି ମରାମତି କରାନଯାଉଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି ଲୋକ ।
ସେପଟେ ଅଭିଯୋଗ ମିଳିବା ପରେ ଘଟଣାର ତଦନ୍ତ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏପରିକି ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ନେଇ ପ୍ରତିଶୃତି ମଧ୍ୟ ମିଳିଛି । ପାଣି ଯୋଗୁ ସମସ୍ୟା ଭୋଗୁଥିବା ଲୋକଙ୍କ ପ୍ରତି ଗୁରୁତ୍ବ ଦିଆଯିବା ସହ ପ୍ରକଳ୍ପ କାମ ଖୁବଶୀଘ୍ର ଶେଷ କରାଯାଇପାରିଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ।