କନକ ବ୍ୟୁରୋ: ଜଙ୍ଗଲ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ଥିବା ଗଛ ଉପରେ କାଠ ମାଫିଆଙ୍କ ନଜର । ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଚାଲିଛି ବେଧଡ଼କ ଗଛ କଟା । ବାଲେଶ୍ୱରରୁ ଗଛ କାଟି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ସବୁ ଜାଣିଶୁଣି ଚୁପ୍ ବସିଛି ବନ ବିଭାଗ । 

Advertisment

ଏବେ ଠୁ ବଢ଼ିଲାଣି ତାତି । ଜାନୁଆରୀ ଶେଷ ସପ୍ତାହରୁ ଗରମ ହେଲାଣି। ବର୍ତ୍ତମାନର ସ୍ଥିତିକୁ ଦେଖି, ଆଗକୁ ପ୍ରବଳ ଗ୍ରୀଷ୍ମ ହେବା ନେଇ ଆଶଙ୍କା କରାଯାଉଛି । ଆଉ ସେହି ସମୟରେ ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇରେ ସକ୍ରିୟ ହୋଇଛନ୍ତି କାଠ ମାଫିଆ । ଦିନ ଦ୍ବିପ୍ରହରରେ ସଂରକ୍ଷିତ ଜଙ୍ଗଲ ହେଉ କି ଗ୍ରାମ୍ୟ ଜଙ୍ଗଲ, ବ୍ୟକ୍ତିଗତ ମାଲିକାନାରେ ଥିବା ଜଙ୍ଗଲରୁ ମଧ୍ୟ କାଟି ଚାଲିଛନ୍ତି ମୂଲ୍ୟବାନ ଗଛ। କଟାଗଛକୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଶିକ୍ଷାବିତ ସନ୍ତୋଷ ପାତ୍ର। 

ଜଳେଶ୍ବର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ କଡ଼ରୁ ଗଛ କଟାଯାଉଛି । ପ୍ରତିଦିନ ତାଳ, ଜାମୁକୋଳି, ଝାଉଁ, ଆମ୍ବ ଭଳି ଗଛ କାଟି ଗଡ଼େଇ ଦିଆଯାଉଛି । ଶାଳ, ପିଆଶାଳ, ଶାଗୁଆନ ଆଦି ମୂଲ୍ୟବାନ ଚୋରା କାଠ ରାତିଅଧିଆ ଉଦୟପୁର ସୀମା ପାର କରି ବେଙ୍ଗଲ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି । ଅନେକ ସମୟରେ ଚାଲାଣ ବେଳେ କାଠ ଜବତ ମଧ୍ୟ ହୋଇଛି। ଲକ୍ଷାଧିକ ଟଙ୍କାର କଟା କାଠକୁ ପଡ଼ୋଶୀ ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗର କାର୍ୟ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । 

ଗଛକଟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍। ତୁରନ୍ତ ଏହାର ତଦନ୍ତ କରି ମାଫିଆଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।