କନକ ବ୍ୟୁରୋ :   ନାରୀ ..  ଏ ନାଁ ହିଁ ଯଥେଷ୍ଟ… ଗୋଟିଏ ନାରୀକୁ ବର୍ଣ୍ଣନା କରିବା ପାଇଁ ଶଦ୍ଦର ଅଭାବ ରହିବ ନିଶ୍ଚୟ । ସେ ବନ୍ଦନୀୟ, ସେ ପୂଜନୀୟ, ସେ ଗର୍ବ ଆଉ ଗୌରବ।  କାହିଁକିନା ଆଜିର ସମାଜରେ ନାରୀଟିଏ ତାର ନିଜସ୍ବ ଏକ ପ୍ରତିଛବି ତିଆରି କରିସାରିଛି । ଚାରି କାନ୍ଥରୁ ବାହାରି ପ୍ରମାଣିତ କରିସାରିଛି ଯେ ସିଏ ବି କାହାଠାରୁ କମ୍‌ ନୁହଁ। ଦୃଢ ମନୋବଳ, ଦୃଢ ସଂକଳ୍ପ ନାରୀକୁ ଜଗତଜିତାର ଆଖ୍ୟା ଦେଇଛି ।  କିଛି ନାରୀଙ୍କ ନାରା ପାଇଁ ଆଜି  ଦେଶର ସାରା ନାରୀ ସମାଜ  ଗର୍ବିତ । ଆଜି ଆମେ ସେହି ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପାଇଁ କେବଳ ପରିବାର  ନୁହେଁ, ବରଂ ପୂରା ସମାଜ, ସାରା ଦେଶ ଗର୍ବିତ ।  ରାଜ୍ୟ ବିଧାନସଭାରୁ ନେଇ ସସଂଦରେ ନାରୀର ରଣହୁଙ୍କାର.. ରାଜ୍ୟ ଓ ଦେଶର ରାଜନୀତିରେ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ କରିଛି ନାରୀ  ।

Advertisment

 ନେତୃତ୍ବର କ୍ଷମତା, ସାହସ, କାର୍ଯ୍ୟ ଏବଂ ଦୂରଦର୍ଶିତା ଦ୍ବାରା ସମାଜର କଲ୍ୟାଣ ଧାରା ବଜାୟ ରଖିଛନ୍ତି କିଛି ମହାନ ନାରୀ । ଏହି ନାରୀଶକ୍ତିମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି  ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯିଏ ଜଣେ  ଚମତ୍କାର ନାରୀଶକ୍ତିର ଉଦାହରଣ ।  ଯାହାଙ୍କ ପାଇଁ ଆଜି ସାରା ଓଡ଼ିଶାର  ନାରୀମାନଙ୍କ ମୁହଁରେ ଫୁଟିଛି ହସ । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀର ଗୁରୁଦାୟିତ୍ବ  ପାଳନ କରିବା ସହ ଓଡ଼ିଶାର ନାରୀଙ୍କ କାନ୍ଧ କାନ୍ଧରେ ମିଶାଇ ଆଗକୁ ବଢାଇନେଉଛନ୍ତି। ସୁଭଦ୍ରା ଯୋଜନା ମାଧ୍ୟମରେ ନାରୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବାକୁ ଅଣ୍ଟା ଭିଡିଛନ୍ତି ପ୍ରଭାତୀ । ଯେଉଁଥିପାଇଁ ଓଡ଼ିଶାରେ ପ୍ରଭାତୀ ପରିଡା ନାରୀ ଶକ୍ତିର ବଡ଼ ଉଦାହରଣ ସାଜିଛନ୍ତି । ପ୍ରଭାତି ପରିଡା ଯେ  ଜଣେ ଦକ୍ଷ ରାଜନୀତିଜ୍ଞ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଆଉ ଜଣେ  ନାରୀ ଶକ୍ତିର ବିଶାଳ ଉଦାହରଣ ହେଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜର ଏକ ଛୋଟ ଗାଁ ରାଇରଙ୍ଗପୁରର ଝିଅ ଦ୍ରୌପଦୀ । ଆଜି ସିଏ ଦେଶର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ । ତାଙ୍କୁ ନମନ କରୁଛି ସାରା ଦେଶ ।  ରାଷ୍ଟ୍ରପତି ହେବା ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ବେଶ ଭଲରେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କୁ ଦେଖିଲେ ଆପେ ଆପେ ମୁଣ୍ଡ ନଇଁ ଆସେ ।

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ.. କାଲିର ନାରୀ ଆଜି ଏକ ବିଶାଳ ଶକ୍ତି ହୋଇ  ଉଭା  ହୋଇଛି ।  ଯାହାଙ୍କୁ  ସାଲ୍ୟୁଟ ମାରୁଛି ଦେଶ । ଦେଶର  ଭାର ନାରୀ କାନ୍ଧରେ, ରାଜ୍ୟର ଭାର ମଧ୍ୟ ନାରୀ  କାନ୍ଧରେ ।  ଦେଶର ରାଜଧାନୀ  ଦିଲ୍ଳୀର ଭାର  ଜଣେ ନାରୀ କାନ୍ଧରେ । ହଁ, ଦିଲ୍ଳୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଯିଏ କି ନବ ନିର୍ବାଚିତ  ମୁଖ୍ୟମନ୍ତ୍ରୀ । ନାରୀ  ଶକ୍ତିର  ଆଉ ଏକ ବଡ଼ ଉଦାହଣ ହେଉଛନ୍ତି ରେଖା । ଦେଶର ରାଜନୀତିରେ ନାରୀଙ୍କ ସକ୍ରିୟ ଅଂଶଗ୍ରହଣ ଆଜି ଗର୍ବର  ମୂହୂର୍ତ୍ତ ପାଲଟିଛି ।  ଏ ସମାଜ ମଧ୍ୟ  ଏଭଳି ନାରୀଙ୍କୁ ଆଗକୁ ବଢିବାକୁ ଏବଂ ନେତୃତ୍ବ ନେବାକୁ  ପ୍ରୋତ୍ସାହନ ଦେଉଛି । ପୁରୁଷ କୈନ୍ଦ୍ରିକ ସମାଜରେ ନାରୀଟି ଆଗକୁ ଆସି ଦେଶ, ରାଜ୍ୟର ଭାର ଗ୍ରହଣ କରିବା ଆଉ ସେ ପୁଣି ଜନତାଙ୍କ ସମ୍ପୂର୍ଣ୍ଣ ସମର୍ଥନରେ ଯାହା ଏକ ନାରୀ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ।   

 ସ୍ତ୍ରୀ, ବୋହୂ, ମାଆ ହୋଇ ଘରେ ପରିବାର ସମ୍ଭାଳେ ।  ନିଜ ସନ୍ତାନକୁ ଉଚିତ୍‌ ଶିକ୍ଷା ଦିଏ । ସନ୍ତାନର ଭଲ ପାଇଁ କେବେ  କେବେ କଠୋର ମଧ୍ୟ  ହୋଇପଡେ । ଶାନ୍ତ, ସୌମ୍ୟ ସ୍ବଭାବ,  ସାଧାରଣ ଆଭୂଷଣ  ଏବଂ ନିର୍ମଳ ଭାବମୂର୍ତ୍ତି ଧାରୀ ନିର୍ମଳା ସୀତାରମଣ । ଯିଏ ଦେଶର  ଏକ ଗୁରୁତ୍ବପୂର୍ଣ୍ଣ ପଦୀବରେ ରହିଛନ୍ତି । ଅର୍ଥ ବିଭାଗର ସେ ମନ୍ତ୍ରୀ। ନିର୍ମଳା ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏକି ଲଗାତାର ୮ ଥର ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ମୋଦୀ ସରକାରରେ ପ୍ରଥମ  ଡିଫେନ୍ସ ମିନିଷ୍ଟର ଏବଂ ପରେ  ଅର୍ଥମନ୍ତ୍ରୀ ହୋଇ  ନିଜର କ୍ଷମତା ଏବଂ କାର୍ଯ୍ୟଶୈଳୀର ପରିଚୟ ଦେଇଥିଲେ ନିର୍ମଳା । ନିର୍ମଣା ସୀତାରମଣଙ୍କୁ ଫେବର୍ସର ଆନୁଆଲ ଲିଷ୍ଟରେ ସବୁଠାରୁ ପାୱାରଫୁଲ ମହିଳାମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି । ଏମାନଙ୍କ ଛଡା ମଧ୍ୟ ଆହୁରି ଅନେକ ରାଜନୈତିକ ମହିଳା ଅଛନ୍ତି ଯେଉଁମାନଙ୍କର କି ରାଜନୀତିରେ ଅନେ ଯୋଗଦାନ ରହିଛି । ସତରେ ଏହି ମହିଳାଙ୍କ ପାଇଁ ଦେଶ ଗର୍ବିତ, ପ୍ରତିଟି ଭାରତୀୟ ଗର୍ବିତ । ନାରୀ ମହାନ୍‌…ନାରୀଙ୍କ ତୁଳନା କରିବା ଏକ ବାଚଳାମି କହିଲେ ଭୁଲ ହେବ ନାହିଁ ।