କନକ ବ୍ୟୁରୋ: ଭୁବନେଶ୍ବର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହେଲା ୱିମେନ୍ସ ବିଜନେସ୍ ମେଳା ୨.୦ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟର୍‌ପ୍ରିନ୍ୟୁରସିପ୍ କାଉନ୍‌ସିଲ୍ (ଆଇଏନ୍‌ଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ମେ’ ୪ ପର୍ଯ୍ୟନ୍ତ ଏହି ଜାତୀୟ ମହିଳା ବ୍ୟବସାୟ ମେଳା ଚାଲିବ । ଏଥିରେ ୨୩୦ରୁ ଅଧିକ ଷ୍ଟଲ୍‌ ସ୍ଥାପନ କରାଯାଇଛି । ଜନଜାତି ଉଦ୍ୟୋଗୀ, ଏସ୍‌ଏଚ୍‌ଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟଲ୍‌ ଦିଆଯାଇଛି । ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରୁ ଏଥିରେ ମହିଳା ଉଦ୍ୟୋଗୀମାନେ ଭାଗ ନେଇଛନ୍ତି । 

Advertisment

ଖାଲି ଏତିକି ନୁହେଁ ଏହି ମେଳାର ଆକର୍ଷଣ ଭାବେ ବଲିଉଡ୍ ସେଲିବ୍ରିଟି ସୁସ୍ମିତା ସେନ୍, ଜାୟେଦ୍ ଖାନ୍, ପ୍ରକୃତି ମିଶ୍ର, ଶୋଭା ଦେ ଓ ପ୍ରହଲ୍ଲାଦ କକ୍କରଙ୍କ ଭଳି ସେଲିବ୍ରିଟି ଏଥିରେ ନଜର ଆସିବେ । ଏହା ବ୍ୟତୀତ ଏକ ଅଟୋମୋବାଇଲ୍ ଜୋନ୍ ରହିଛି, ଯେଉଁଥିରେ ପ୍ରତିଷ୍ଠିତ ବ୍ରାଣ୍ଡ୍‌ଗୁଡ଼ିକର ଗାଡ଼ି ପ୍ରଦର୍ଶିତ କରାଯାଉଛି । ରାଜ୍ୟର ସବୁ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ଏହା ସହଯୋଗର ସେତୁ ହେବ । ଏହି ମେଳା ମହିଳାମାନଙ୍କୁ ବ୍ରାଣ୍ଡ୍ ଶୁଭାରମ୍ଭ, ବଜାର ସଂଯୋଗ, ଗ୍ରାହକ ସମ୍ପର୍କ, ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉନ୍ନତି ପାଇଁ ଆବଶ୍ୟକ ଯୋଜନା ସମ୍ପର୍କରେ ଅବଗତ କରିବ ।