କନକ ବ୍ୟୁରୋ: ବ୍ରହ୍ମପୁର ଉପକଣ୍ଠ ବାଳକୃଷ୍ଣପୁରର ଓମ୍ ଶାନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସଫଳତା । ଦେଶୀ କୁକୁଡ଼ା ଚାଷ କରି ଲାଭବାନ ହେଲେ ମହିଳାମାନେ । କଲିକତାରୁ କୁକୁଡ଼ା ଚିଆଁକୁ ଆଣି ଲିଜରେ ଜମି ନେବା ପରେ ଆରମ୍ଭ କରିଥିଲେ କୁକୁଡ଼ା ଚାଷ । ବର୍ତ୍ତମାନ କୁକୁଡ଼ା ବଡ଼ ହେବା ପରେ ତାହାକୁ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଛନ୍ତି ମହିଳାମାନେ । ମାସିକ ୧୨ ହଜାରରୁ ୧୫ ହଜାର ଟଙ୍କା ରୋଜଗାର କରିବା ସହିତ ସ୍ବାବଲମ୍ବୀ ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ।

ଦେଶୀ କୁକୁଡ଼ା ଚାଷ କରି ଲାଭବାନ ହେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ବ୍ରହ୍ମପୁର ଉପକଣ୍ଠ ବଳରାମପୁର ପଂଚାୟତର ଓମ୍ ଶାନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏଭଳି କିଛି କାମ ହାତକୁ ନେଇଛନ୍ତି । ୭ ବର୍ଷ ତଳେ ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ପୂର୍ବରୁ କତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଏବେ ତିନି ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମହିଳାଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି । ଏହାପରେ ଗାଁ ନିକଟରେ ଥିବା ଏକ ଜମିକୁ ବର୍ଷକୁ ୭ ହଜାର ଟଙ୍କା ହିସାବରେ ୧୫ ବର୍ଷ ପାଇଁ ଲିଜରେ ନେଇ କୁକୁଡ଼ା ଚାଷ ଆରମ୍ଭ କରିଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଦିଆଯାଇଥିବା ଟଙ୍କାରେ କୁକୁଡ଼ା ରହିବା ନିମନ୍ତେ ଏକ ଘର ତିଆରି କରିଛନ୍ତି । 


ପ୍ରଥମେ ବିଭାଗ ପକ୍ଷରୁ ଦେଶୀ କୁକୁଡ଼ା ଚିଆଁ ମହିଳାଙ୍କୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ସେହି ଚିଆଁ ଗୁଡ଼ିକ ସଠିକ ଭାବେ ବଡ଼ ନହେବା ସହିତ ନାନା ସମସ୍ୟା ଦେଖାଦେଇଥିଲା । ଏହାପରେ କଲିକତାରୁ କୁକୁଡ଼ା ଚିଆଁ କିଣି ଚାଷ କରୁଛନ୍ତି ମହିଳା । ପ୍ରତି ତିନି ମାସରେ ଥରେ କୁକୁଡ଼ା ବିକ୍ରି ହେଉଛି । ସ୍ଥାନୀୟ ବଜାର ସହ ଗାଁ ଗହଳିର ଲୋକମାନେ ତାଙ୍କ ନିକଟରୁ କୁକୁଡ଼ା କିଣୁଛନ୍ତି । ଯାହାଦ୍ବାରା ସେମାନେ ଉପକୃତ ହୋଇପାରୁଛନ୍ତି । 
 
ପ୍ରତିଦିନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସକାଳ ସମୟରେ ୩ ଘଣ୍ଟା ଓ ସନ୍ଧ୍ୟା ସମୟରେ ୨ଘଣ୍ଟା କୁକୁଡ଼ା ଫାର୍ମରେ କାମ କରନ୍ତି । କଲିକତାରୁ କୁକୁଡ଼ା ଚିଆଁ ଗୁଡ଼ିକ ଆଣିବା ପରେ ୭, ୧୫, ଓ ୨୧ ଦିନ ପରେ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରି ଟୀକା ଦିଆଯାଇଥାଏ । ଏହି କୁକୁଡ଼ା ଚିଆଁଗୁଡ଼ିକ ବଡ଼ ହେବା ପରେ ବ୍ରହ୍ମପୁର ସହର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ବିକ୍ରି ପାଇଁ ପଠାଯାଉଛି । ବ୍ରଏଲର କୁକୁଡ଼ା ଅପେକ୍ଷା ଦେଶୀ କୁକୁଡ଼ାର ଅଧିକ ଚାହିଦା ରହିଥିବାରୁ ବ୍ୟବସାୟ ମଧ୍ୟ ଭଲ ହେଉଛି । ମାସକୁ ୧୨ ରୁ ୧୫ ହଜାର ଟଙ୍କା ରୋଜଗାର କରି ପରିବାର ଚଳାଇବାରେ ସହାୟତା କରୁଛନ୍ତି ।  

ପ୍ରାଣୀ ଚିକିତ୍ସା ବିଭାଗର ସହଯୋଗରେ ଦେଶୀ କୁକୁଡ଼ା ଚାଷ କରି ଲାଭବାନ ହେବା ପରେ ଆଗାମୀ ଦିନରେ ଗାଇ, ଛେଳି ଚାଷ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ମହିଳା ।