କନକ ବ୍ୟୁରୋ : ଆଜି ଶକ୍ତିପୀଠ ଗୁଡିକରେ ପାଳିତ ହେଉଛି ବିଜୟାଦଶମୀ । ଆଉ ଦଶମୀ ତିଥିରେ ସିନ୍ଦୁର ଖେଳର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ଏହି କ୍ରମରେ ଆଜି ବିଭିନ୍ନ ପୀଠରେ ମହିଳାମାନେ ସିନ୍ଦୁର ଖେଳ ଖେଳି ମା’ଙ୍କୁ ମେଲାଣି ଦେଇଛନ୍ତି । ଆସନ୍ତାକାଲି ପୂଜା ମଣ୍ଡପ ଗୁଡିକରେ ସିନ୍ଦୂର ଖେଳ ହେବ ।
ମହାମାୟାଙ୍କ ପୂଜା ପାଇଁ ଉତ୍ସବମୁଖର ସାରା ଦେଶ । ଆଜି ପୀଠ ଗୁଡିକରେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୁପ ବିଜୟାଦଶମୀ ପାଳିତ ହେଉଛି । ଏହି ଅବସରରେ ସିନ୍ଦୂର ଖେଳର ରହିଛି ନିଆରା ପରମ୍ପରା । ଏ ଦୃଶ୍ୟ ଭୁବନେଶ୍ବର କାଳିବାଡ଼ି ପୂଜା ସମିତିର । ଏଠାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଝିଅ ବୋଲି ମାନନ୍ତି । ଝିଅ ଶାଶୁ ଘରକୁ ଗଲା ଭଳି ପରସ୍ପର ପରସ୍ପରକୁ ସିନ୍ଦୁର ବୋଳି ମା’ଙ୍କୁ ମେଲାଣି ଦେଇଥାନ୍ତି । ଏବର୍ଷ ଠିକ୍ ସେହିଭଳି ଏଠାକାର ବଙ୍ଗୀୟ ମହିଳାମାନେ ମା’ଙ୍କୁ ପାନ ପତ୍ରରେ ପୋଛିଥିଲେ । ଏହାପରେ ଢାକ୍ ବାଦ୍ୟର ତାଳେ ତାଳେ ଝୁଣା ଓ ନୈବେଦ୍ୟ ଲଗାଇ ପରସ୍ପରକୁ ସିନ୍ଦୁର ଲଗାଇ ମା’ଙ୍କୁ ମେଲାଣି ଦେଇଛନ୍ତି । ସେପଟେ ମାଲକାନଗିରି ଦଣ୍ଡକାରଣ୍ୟ ପୂଜା କମିଟି ପକ୍ଷରୁ ବଙ୍ଗୀୟ ରୀତିନୀତିରେ ହୋଇଛି ସିନ୍ଦୁର ଖେଳ । ସଧବା ମହିଳା ମାନେ ବାଜା ଓ ନାଚର ତାଳେ ତାଳେ ପରସ୍ପରକୁ ସିନ୍ଦୁର ଲଗାଇ ମା’ଙ୍କୁ ବିଦାୟ ଦେଇଛନ୍ତି । ମା’ଙ୍କୁ ପ୍ରଥମେ ମିଠା ଖୁଆଇବା ପରେ ମହିଳାମାନେ ପରସ୍ପରକୁ ମିଠା ଖୁଆଇ ବିଦାୟ ଦେଇଛନ୍ତି ।
ସେପଟେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଲକାତାର ବିଭିନ୍ନ ସ୍ଥାନରେ ମହିଳାମାନେ ଆଜି ହୋଇଛି ସିନ୍ଦୂର ଖେଳ । ସଧବା ମହିଳାମାନେ ଏକାଠି ହୋଇ ପରସ୍ପରର ମଥାରେ ସିନ୍ଦୂର ଲଗାଇଛନ୍ତି । ଲାଲ ଶାଢୀ ପିନ୍ଧି ପ୍ରଥମେ ଦୁର୍ଗାଙ୍କୁ ସିନ୍ଦୂର ଲଗାଇବା ପରେ ସେହି ସିନ୍ଦୂରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ଖେଳିଛନ୍ତି । ଏହାଦ୍ବାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରାୟ ୪୫୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଆରମ୍ଭ ହୋଇଥିଲା ଏହି ପରମ୍ପରା । ଆସନ୍ତାକାଲି ପୂଜା ମଣ୍ଡପରେ ସିନ୍ଦୂର ଖେଳ ହେବ ।