କନକ ବ୍ୟୁରୋ : ଗାଁରେ ଚୋରା ମଦ କାରବାର ବିରୋଧରେ ତାତିଲେ ମହିଳା । ଚୋରା ମଦ ବେପାରୀଙ୍କୁ ମାଡ଼ି ବସିଲେ ଗାଁର ୨୦ରୁ ୩୦ ଜଣ ମହିଳା । ଅନୁଗୁଳ ସଦର ଥାନା ଅଧୀନ ପୁରୁଣା ଜରାସିଂହା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ ମହିଳାମାନେ ଏକଜୁଟ ହୋଇ ୨୦ ପେଟି ମଦ ବୋତଲକୁ ପଥରରେ ଛେଚି ନଷ୍ଟ କଲେ । ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ଦେଲେ । 

ଅନ୍ୟପଟେ ଆଠଗଡ଼ରୁ ରାଜଧାନୀ ଚାଲାଣ ହେଉଥିଲା ଦେଶୀ ମଦ । ଅବକାରୀ ପୁଲିସ ଜାଲରେ ଫସିଗଲେ ଡ୍ରାଇଭର, ଖସିଗଲେ ମୁଖ୍ୟ କାର୍ପଟଦାର । ଚୋରା ଦେଶୀ ମଦ ବୋଝେଇ ଇନୋଭା କାର୍ ଜବତ କରାଯାଇଥିବା ବେଳେ ଚାଳକକୁ ଅଟକ ରଖି କରାଯାଉଛି ପଚରାଉଚରା । କଟକ ଆଠଗଡ଼ରୁ ରାଜଧାନୀକୁ ଦାମୀ କାର୍ ଯୋଗେ ଦେଶୀ ମଦ ଚୋରାଚାଲାଣ କରାଯାଉଥିବା ବେଳେ ଏହାକୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ବେଗୁନିଆ ଅବକାରୀ ଥାନା ପୁଲିସ । ଗୋଟିଏ ଇନୋଭା ଗାଡ଼ିକୁ ଜବତ କରାଯାଇଛି ଯେଉଁଥିରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଗାଡ଼ି ଡ୍ରାଇଭରକୁ ଅଟକ ରଖାଯାଇ ଆଉ କିଏ ଏହି ଚୋରାଚାଲାଣରେ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ ଚଳାଇଛି ଅବକାରୀ ପୁଲିସ । 

Advertisment

ସେପଟେ ଚୋରା ନିଶା କାରବାର ରୋକିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମାସେ ହେଲା ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି । ଆବଶ୍ୟକ ପଡ଼ିଲେ ଚୋରା ମଦ କାରବାର ହେଉଥିବା ସ୍ଥାନରେ ବୁଲଡୋଜର ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏବେ ଚାଲିଥିବା ଚଢ଼ଉରେ ୧୫ କୋଟି ଟଙ୍କାର ଚୋରା ନିଶାଦ୍ରବ୍ୟ ଜବତ କରାଯିବା ସହ ୨ ହଜାର ଲୋକଙ୍କୁ ଗିରଫ କରାଯାଇଛି । ଆଗକୁ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।