କନକ ବ୍ୟୁରୋ : ମଦ ବନ୍ଦ ପାଇଁ ଭାଗବତ ପୂଜା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପଡାଙ୍ଗ ଗାଁରେ ବେଆଇନ ମଦ କାରବାର ବିରୋଧରେ ମହିଳା ମାନେ ଏକାଠି ହୋଇଛନ୍ତି । ମାସେ ହେଲା ମହିଳା ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଚୋରା ଦେଶୀ ବିଦେଶୀ ମଦ ଦୋକାନ ଖୋଲି ମାଫିଆମାନେ ଦିନ ରାତି ମଦ କାରବାର କରୁଛନ୍ତି । ମଦ ପିଇ ସ୍ବାମୀ, ପୁଅ ଓ ପରିବାର ସଦସ୍ୟ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ରାସନ ସାମଗ୍ରୀ ଓ ସୁଭଦ୍ରା ଅର୍ଥ ମଧ୍ୟ ମଦ ପିଇବା ପାଇଁ ସ୍ବାମୀ ମାନେ ଜୁଲମ କରୁଥିବା ଅଭିଯୋଗ ହୋଇଛି ।

Advertisment

 ରୋଗାଗ୍ରସ୍ଥ ହୋଇ ଅକାଳରେ ଜୀବନ ମଧ୍ୟ ଯାଉଛି । ଫଳରେ ଗାଁରେ ବେଆଇନ ମଦ କାରବାର ବନ୍ଦ ନେଇ ମହିଳାମାନେ ଏକତ୍ରିତ ହୋଇ ଏହାକୁ ବିରୋଧ କରିଛନ୍ତି । ଗାଁ ଗାଁରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା କରିବା ସହିତ ସଭାସମିତି କରିଛନ୍ତି ମହିଳା । ମଦ କାରବାର ବନ୍ଦ ପାଇଁ ଚୋରା ମଦ ବେପାରୀଙ୍କୁ ମଧ୍ୟ ବାରଣ କରିଛନ୍ତି । ଅବକାରୀ ଓ ପୁଲିସ ବିଭାଗକୁ ଲିଖିତ ଅଭିଯୋଗ ପରେ ବି କେହି ନଶୁଣିବାରୁ ଆଜି ପଡାଙ୍ଗ ପଞ୍ଚାୟତ ସମସ୍ତ ଗାଁର ମହିଳାମାନେ ଏକତ୍ରିତ ହୋଇ ଗାଁ ଦେହୁରୀ ଓ ଜଗନ୍ନାଥ ମନ୍ଦିର ପୂଜକଙ୍କ ଦ୍ବାରା ଗାଁ ଲକ୍ଷ୍ମୀ ମଣ୍ଡପ ଠାରେ ଭାଗବତ ପୂଜା କରିଛନ୍ତି ।

 ଗାଁରେ ମଦ ବିକ୍ରି ଓ ପିଇବା ପାଇଁ ବାରଣ ସହିତ ପ୍ରତି ଘରୁ ସଂଗୃହିତ ଧାନରେ ଖଇ ପ୍ରସ୍ତୁତ କରି ଉଡାଇଛନ୍ତି । ଯିଏ ଅମାନ୍ୟ କରିବ ତା'ର କ୍ଷତି ଓ ବିଘ୍ନ ଘଟିବ ବୋଲି ଅଭିଶାପ ଦେଇଛନ୍ତି। ସୂଚନା ଅନୁସାରେ ତେଲକୋଇ ବ୍ଲକର ଗୋଟିଏ ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଦୁଇଟି ଦେଶୀ ମଦ ଭାଟି ଅନୁମତି ପ୍ରାପ୍ତ ହୋଇଥିବା ବେଳେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଓ ୨୦୦ରୁ ଉର୍ଦ୍ଧ୍ୱ ଦେଶୀ ମଦ ଦୋକାନ ବିଭିନ୍ନ ଗାଁ ଗଣ୍ଡାରେ ଖୋଲା ଯାଇଛି । ଫଳରେ ହାତ ପାହାନ୍ତାରେ ମଦ ମିଳିଯାଉଥିବାରୁ ଲୋକେ ମଦପିଇ ଗାଁରେ ଓ ପରିବାରରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ସମ୍ପୃକ୍ତ ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଚୋରା ମଦ କାରବାର ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।