କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ଗାଁର ନିରୁପମା ରାଉତ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ସହିତ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରି ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ତାଙ୍କ ଫାର୍ମରେ ହୋଲଷ୍ଟେନ୍, ସିନ୍ଧୀ ଓ ଜର୍ସି ଭଳି ଉନ୍ନତ ପ୍ରଜାତିର ୧୦ଟି ଗାଈ ପାଳନ କରିଛନ୍ତି ନିରୁପମା । ଏହି କାମରେ ତାଙ୍କୁ ତାଙ୍କ ସ୍ବାମୀ ସମସ୍ତ ପ୍ରକାର ସହଯୋଗ କରନ୍ତି । 

ଗାଈଙ୍କୁ ଖାଦ୍ୟ ପାନୀୟ ଦେବାଠାରୁ ଆରମ୍ଭ କରି ସମସ୍ତ କାମର ତଦାରଖ କରନ୍ତି ନିରୁପମା । ଏହା ସହ ସେ ନିଜ ଫାର୍ମରେ ସ୍ଥାନୀୟ ଅଂଚଳର ଦୁଇଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତିଦିନ ଗାଇଙ୍କ ଠାରୁ ମେସିନ୍ ସାହାଯ୍ୟରେ କ୍ଷୀର ଦୁହାଁ ହେଉଛି । ପାଖାପାଖି ୧୨୦ ଲିଟର କ୍ଷୀର ଉତ୍ପାଦନ ହେଊଛି । ଯାହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ନିରୁପମା । 


ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ଗାଁ ୩୦ ଜଣ ଚାଷୀ ପ୍ରତିଦିନ ସାକାଳ ଓ ସଂଧ୍ୟାରେ କ୍ଷୀରେ ବିକ୍ରି କରୁଛନ୍ତି । ପ୍ରତିଦିନ ୬୦୦ ଲିଟର କ୍ଷୀର ସଂଗ୍ରହ କରି ବିକ୍ରି ପାଇଁ ପଠଉଛନ୍ତି ନିରୁପମା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିରୁପମା ୯ ଲକ୍ଷ ୯୯ ହଜାର ୭୫୦ ଟଙ୍କା ସହାୟତା ପାଇଥିବା ବେଳେ ସେଥିମଧ୍ୟରୁ ଶତକଡା ୫୦ ଭାଗ ରିହାତି ମିଳିଛି । ଗାଈ ଫାର୍ମ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ରରୁ ନିରୁପମା ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପରିବାର ଚଳାଇବା ସହିତ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇପାରୁଛନ୍ତି । 

 ପୂର୍ବରୁ ଦେଶୀ ଗାଇ ରଖି ପାଳନ କରୁଥିଲେ ନିରୁପମା । ହେଲେ ସେଥିରୁ ଏତେଟା ଲାଭ ମିଳୁନଥିଲା । ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରୁଣ ନେଇ ଉନ୍ନତ କିଶମର ଗାଇ କିଣି ଭଲ ରୋଜଗାର କରୁଛନ୍ତି । ଯାହା ତାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛି ।