କନକ ବ୍ୟୁରୋ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ପାଇଁ ଉଛୁଳୁଥିଲା ବଡ଼ଦାଣ୍ଡ । ଏହି ଅବସରରେ ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ ଓ ବିକ୍ରିକୁ ସେବା ଏବଂ କର୍ମ ଭାବେ ଗ୍ରହଣ କରି ଜୀବିକା ନିର୍ବାହ କରୁଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ବସନ୍ତପାଟଣା ଗାଁର ଏକାଧିକ କାରିଗର । ପୋଲାଙ୍ଗ ଓ ନଡ଼ିଆ ଉପରେ ମହାପ୍ରଭୁଙ୍କ ଛବି ଆଙ୍କୁଛନ୍ତି । ଜଗନ୍ନାଥଙ୍କ ପ୍ରତି ଭକ୍ତି ସହିତ ତାଙ୍କରି ଭରସାରେ ଏହି ଅଞ୍ଚଳର ଏକାଧିକ ପରିବାର ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରି ଚଳୁଛନ୍ତି ।
ପୁରୀ ସାକ୍ଷୀଗୋପାଳ ଓ ଚନ୍ଦନପୁର ଅଞ୍ଚଳର ଗାଁ ଗହଳିରୁ ଏମାନେ ପୋଲାଙ୍ଗ ଓ ପୋଲା ନଡ଼ିଆ ସଂଗ୍ରହ କରନ୍ତି । ଏହା ଉପରେ ରଙ୍ଗ ଓ ତୂଳିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି ଅଙ୍କନ କରାଯାଏ । ନିମ୍ବ ଓ ଆକାଶିଆ କାଠରେ ମୂର୍ତ୍ତି ତିଆରି ହୁଏ । ବର୍ଷ ବର୍ଷ ଧରି ଏଭଳି କାମ କରୁଛନ୍ତି ମହିଳାମାନେ । ୧୦ ଜଣ ମହିଳା ଏକାଠି ହୋଇ ଏହି କାମ କରୁଥିବା ବେଳେ ମାସକୁ ୧୫ ହଜାର ଟଙ୍କା ରୋଜଗାର ହେଉଛି । ମହାପ୍ରଭୁଙ୍କ ଚିତ୍ର ଆଙ୍କିଲେ ସବୁ ଦୁଃଖ ଦୂର ହୋଇଯାଏ ବୋଲି ମହିଳାମାନେ କୁହନ୍ତି ।
ସବୁଦିନ ଏହି ମୂର୍ତ୍ତି ସେମାନେ ବିକ୍ରି କରନ୍ତି । ରଥଯାତ୍ରା ସମୟରେ ଅଧିକ ବିକ୍ରି ହୋଇଥାଏ । ବାହାର ବ୍ୟବସାୟୀ ଏମାନଙ୍କଠାରୁ ମୂର୍ତ୍ତି କିଣି ବିଭିନ୍ନ ସ୍ଥାନରେ ବିକ୍ରି କରନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି ହୁଏ ।