କନକ ବ୍ୟୁରୋ: ଗତ କିଛି ମାସ ହେଲା ରାଜ୍ୟରେ ଲଗାତାର ଭାବେ ଏଭଳି ଘଟଣା ଘଟୁଛି । କେଉଁଠି ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ତ ଆଉ କେତେବେଳେ ସ୍ବାମୀ ସହ ପର୍ଯ୍ୟଟନରେ ବାହାରିଥିବାବେଳେ ନିର୍ଯାତନାର ଶିକାର ହେଉଛି ନାରୀ । ତଥାପି ଏଥିରେ ରୋକ୍ ଲାଗୁନି । ତଦନ୍ତ ନାଁରେ କିଛି ଦିନ ଛାନଭିନ୍ କରିବା ପରେ ଚୁପ୍ ବସି ଯାଉଛି ପୁଲିସ୍ । 

Advertisment

ଜୁନ୍-୨୦୨୫, ଗୋପାଳପୁର ବିଚ୍  
ଜୁଲାଇ-୨୦୨୫, ଡଗରା ବିଚ୍ 
ସେପ୍ଟେମ୍ବର-୨୦୨୫, ବ୍ରହ୍ମଗିରି   

ରାଜ୍ୟରେ ଘଟିଥିବା ଏହି ତିନୋଟି ଘଟଣା ସାରାଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି ।  ଜୁନ୍ ୧୫ରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ଗୋପାଳପୁର ବିଚ୍‌ରେ ପୁରୁଷ ବନ୍ଧୁଙ୍କ ଆଗରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ସ୍ଥାନୀୟ ଯୁବକ । ଗୋପାଳପୁର ଘଟଣାକୁ ମାସେ ନପୂରୁଣୁ ଜୁଲାଇ ମାସରେ ବାଲେଶ୍ବର ବାଲିଆପାଳ ଡଗରା ବିଚରେ ସ୍ବାମୀଙ୍କ ସହ ଆସିଥିବା ଜଣେ ମହିଳା ନିର୍ଯାତନାର ଶିକାର ହୋଇଥିଲେ । ଏହି ଦୁଇ ଘଟଣା ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଓଡ଼ିଶାକୁ ଅପବାଦ ମୁଣ୍ଡାଇବାକୁ ପଡିଥିଲା । ତଥାପି ଚେତିଲାନି ପୁଲିସ ପ୍ରଶାସନ । ଆଉ ଏବେ ପୁଣି ପର୍ଯ୍ୟଟନ କ୍ଷେତ୍ର ପୁରୀ ବାଲି ହରଚଣ୍ଡୀ ନିକଟ ଜଙ୍ଗଲରେ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା, ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଏହି ତିନୋଟି ଘଟଣା ନୁହେଁ, ଗତ ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ନାରୀ ନିର୍ଯାତନାର ଖବର । ବରଗଡ଼ ଠାରୁ ଆରମ୍ଭ କରି କେନ୍ଦୁଝର, ଅନୁଗୁଳ ପର୍ଯ୍ୟନ୍ତ, ଯୁବତୀ ନିଖୋଜ ହେବା ପରେ ମୃତଦେହ ମିଳିଛି । ସେହିପରି ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳା ନିର୍ଯାତନାର ଶିକାର ହୋଇଥିବା ସାମନାକୁ ଆସିଛି । କିନ୍ତୁ ଏଭଳି କାଣ୍ଡ କରୁଥିବା ସଇତାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କେହି ଡରୁ ନାହାନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ତମ୍ବି ତୋଫାନ । 

ନାରୀ ନିର୍ଯାତନାକୁ ନେଇ ସମସ୍ତେ ଗର୍ଜୁଛନ୍ତି । କିଛି ଦିନ ପରେ ତୁନି ପଡୁଛନ୍ତି । କିନ୍ତୁ ଏଥିରେ କେବେ ବ୍ରେକ୍ ଲାଗିବ? ସେ ନେଇ କାହା ପାଖରେ ଉତ୍ତର ନାହିଁ ।