କନକ ବ୍ୟୁରୋ : ସଫଳତା ଆପଣା ଛାଏଁ ଆସେନି । ଏକାଗ୍ରତା ଓ ନିଷ୍ଠାର ସହିତ ପରିଶ୍ରମ ହିଁ ସଫଳତା ପାଇବାରେ ସହାୟକ ହୋଇଥାଏ । ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ କରି ସଫଳତାର ସହ ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ଗୃହିଣୀ ।  ଉଚ୍ଚ ଶିକ୍ଷିତା ମଧ୍ୟବିତ୍ତ ପରିବାରର ସୁଗୃହିଣୀ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଊପଖଣ୍ଡର ଲାତୁରପେଟ ଗାଁର ସୁପ୍ରଭା ଦାନୀଙ୍କ ସଫଳତାର କାହାଣୀକୁ ନେଇ ଦେଖିବା ଏହି ରିପୋର୍ଟ । 

Advertisment

ଗୃହିଣୀରୁ ସଫଳ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ଲାଟୁରାପେଟ ଗାଁର ସୁପ୍ରଭା ଦାନି । ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ପ୍ରକାର ଚାଷ କିରିବା ସହ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ଅନେକ ଲୋକଙ୍କୁ ରୋଜଗାର ଦେଇଛନ୍ତି । କମ ଜାଗାରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଏକ ଛତୁ ମଞ୍ଜି ଫାର୍ମ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ ସେ କିଛି ଲୋକଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି । ପ୍ରଥମେ ବିଭିନ୍ନ ପ୍ରକାର ଛତୁ ଚାଷରୁ ନିଜର ଯାତ୍ରା ଆରମ୍ଭ କରିଥିଲେ ସୁପ୍ରଭା । ପରେ ଛତୁ ଚାଷ ପାଇଁ ଆବଶ୍ୟକ ହେଉଥିବା ଛତୁ ମଞ୍ଜିର ଚାହିଦାକୁ ଦେଖି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ । ତାଙ୍କ ଇଚ୍ଛାକୁ ଦେଖି କେବିକେ ପକ୍ଷରୁ ତାଙ୍କୁ ତାଲିମ ଦିଆଯାଇଥିଲା । ଏହା ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହାୟତାରେ ବ୍ୟାଙ୍କ ଋଣ କରି ଆରମ୍ଭ କରିଥିଲେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର । ଏବେ ଏହି ମଞ୍ଜିକୁ ଜିଲ୍ଲାର ବିଭିନ ସ୍ବୟଂ ସହାୟକ ଗୋଷ୍ଠୀ, ଛତୁ ଚାଷୀ ଓ ବାହାର ଜିଲ୍ଲାର ଚାଷୀଙ୍କୁ ମଧ୍ୟ ରପ୍ତାନୀ କରୁଥିବା କହିଛନ୍ତି ସୁପ୍ରଭା । ଏବେ ମାସକୁ ସମସ୍ତ ଖର୍ଚ୍ଚ ଯାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି ସୁପ୍ରଭା ।

ଛତୁ ଏକ ଲାଭଦାୟକ ଚାଷ । କମ୍ ଖର୍ଚ୍ଚ ଓ କମ୍ ସମୟରେ ଏହି ଚାଷ ଭଲ ଅମଳ ଦେଇଥାଏ । ତେଣୁ ଏହି ଚାଷକୁ ଅପଣାଇ ଅନେକ ଲୋକ ରୋଜଗାର ମାଧ୍ୟମ କରନ୍ତି । ସୁପ୍ରଭା ଏହି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି  ।  ସବୁଠାରୁ ବଡ଼କଥା ହେଲା ତାଙ୍କ ପାଖରେ କିଛି ମହିଳା ଓ ପୁରୁଷ କାମ ପାଇପାରୁଛନ୍ତି । ପୂର୍ବରୁ ଏମାନଙ୍କୁ କାମ କରିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ଏବେ ଘର ପାଖରେ କାମ ପାଇ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ । ସୁପ୍ରଭାଙ୍କ ଠାରୁ ଛତୁ ଚାଷ ପ୍ରତି ଅନୁପ୍ରାଣିତ ହୋଇ ଛତୁ ଚାଷ କରିବେ ବୋଲି କହିଛନ୍ତି । କଠୋର ପରିଶ୍ରମ ଓ ସାଧନା ମଣିଷକୁ ଶୀର୍ଷରେ ପହଂଚାଇଥାଏ । ସୁପ୍ରଭା ଜଣେ ସଫଳ ଚାଷୀ ହୋଇପାରିଥିବା ବେଳେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି