କନକ ବ୍ୟୁରୋ : କଟକ ଜିଲ୍ଲା ନରସିଂହପୁର ବ୍ଲକ ନିଜିଗଡ଼ ପଂଚାୟତର ରଘୁନାଥଜୀଉ ଉତ୍ପାଦିକା ଗୋଷ୍ଠୀ ମହିଳା ମାନେ ରୋଜଗାର କରିବା ପାଇଁ ନୂଆ ବାଟ ବାଛିଛନ୍ତି । ପୂର୍ବରୁ ଏମାନେ କେବଳ ଘରକାମରେ ସୀମିତ ରହୁଥିଲେ । ଏବେ ମେସିନ ସାହାଯ୍ୟରେ ପେପର ପ୍ଲେଟ ପ୍ରସ୍ତୁତ କରୁଛନ୍ତି । ବାହାଘର ହେଉ କିମ୍ବା ବ୍ରତଘର ଭୋଜିଭାତ ସମୟରେ ପେପର ପ୍ଲେଟର ଆବଶ୍ୟକତା ପଡ଼ିଥାଏ । ଏହାକୁ ନଜରରେ ରଖି ମହିଳା ମାନେ ପେପର ପ୍ଲେଟ ବ୍ୟବସାୟ ଆରମ୍ଭ କରିଛନ୍ତି । ହେଲେ ବିକ୍ରି କରିବା କଷ୍ଟକର ହେଉଥିବାରୁ ରୋଜଗାରରେ ବାଧା ସୃଷ୍ଟି ହେଉଛି ।
ପ୍ରଥମେ ୩୦ ଜଣ ମହିଳା ଏକାଠି ହୋଇ କିଛି କିଛି ସଂଚୟ କଲେ । ଏହାପରେ ଏକ ମେସିନ କିଣି ପେପର ପ୍ଲେଟ ପ୍ରସ୍ତୁତ କଲେ । ଦୁଇଟି ସିପ୍ଟରେ ୧୫ ଜଣ ଲେଖାଏଁ ମହିଳା ଆସି କାମ କରୁଛନ୍ତି । ଧୀରେ ଧୀରେ ବ୍ୟବସାୟୀ ମାନେ ଆସି ମହିଳାଙ୍କ ଠାରୁ ପେପର ପ୍ଲେଟ, ଖଲି ଓ ଦନା କିଣିନେଉଛନ୍ତି । ଆଗକୁ ଭଲ ରୋଜଗାର ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ପ୍ଲେଟ ତିଆରି ସମୟରେ ବାହାରୁଥିବା କଟିଂ ପେପର ବିକ୍ରି କରି ମହିଳା ମାନେ ମଧ୍ୟ ରୋଜଗାର କରିପାରୁଛନ୍ତି ।
ମହିଳା ମାନେ ରୋଜଗାର କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ହେଲେ ଏହି ମହିଳା ମାନଙ୍କୁ କିଛି ସହାୟତା ମିଳିଲେ ସେମାନେ ଆହୁରି ଉପକୃତ ହୋଇପାରନ୍ତେ ।