କନକ ବ୍ୟୁରୋ : ବିଜେପି ସଦସ୍ୟତା ଅଭିଯାନକୁ ବଳ ଯୋଗାଉଛି ସୁଭଦ୍ରା । ବିଜେପି ସରକାର ଆସିବାରେ ଗେମ୍ ଚେଞ୍ଜର ଭୂମିକା ନେଇଥିବା ସୁଭଦ୍ରା ଯୋଜନା ଏବେ ସଦସ୍ୟତା ସଂଗ୍ରହରେ ବଡ ଭୂମିକା ନେଉଛି । ବର୍ତମାନ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି । ଏହାର ପ୍ରଭାବ ବିଜେପି ସଦସ୍ୟତା ଅଭିଯାନରେ ବି ଦେଖିବାକୁ ମିଳୁଛି । ମହିଳାମାନେ ବିଜେପିର ସଦସ୍ୟତା ଗ୍ରହଣ କରୁଛନ୍ତି । ବିଜେପି ମହିଳା ମୋର୍ଚ୍ଚା ୨୦ ରୁ ୩୦ ଲକ୍ଷ ମହିଳାଙ୍କୁ ସଦସ୍ୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସୁଭଦ୍ରା ଯୋଜନା କାରଣରୁ ଏହା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି । ଯୁବବର୍ଗ ବି ସଦସ୍ୟତା ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ଜାତୀୟ ସ୍ତରରେ ସଦସ୍ୟତାରେ ରେକର୍ଡ କରିବାରେ ଲାଗିଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।
୨୦୧୮-୨୦୧୯ରେ ବିଜେପି ଯେତିକି ସଦସ୍ୟ ସଂଗ୍ରହ କରିଥିଲା ଏବେ କ୍ଷମତାକୁ ଆସିବା ପରେ ଏହାକୁ ଡବଲ କରିବାକୁ ଲକ୍ଷ୍ୟ ରଖିଛି ଦଳ । ୨୦୨୪ରେ ବିଜେପି ପାଇଥିଲା ୧ କୋଟି ୬୪ ହଜାର ୮୨୭ ଭୋଟ୍ । ଅର୍ଥାତ ୪୦.୦୭% ଭୋଟ ପାଇ ସରକାର କରିଥିଲା । ଏବେ ଏହି ଆଧାରରେ ସଦସ୍ୟ ଯୋଡି ପଞ୍ଚାୟତ ଓ ପୌର ନିର୍ବାଚନରେ କ୍ଲିନ ସ୍ବିପ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ବିଜେଡିର ବି ସଦସ୍ୟ ସଂଗ୍ରହ ଅଭିଯାନ ଚାଲିଛି । ଆଉ ଲକ୍ଷ୍ୟ ରଖିଛି କୋଟିଏ । ତେଣୁ ଦୁଇ ପ୍ରମୁଖ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଜୋର ଧରିଥିବାବେଳେ କଂଗ୍ରେସ ପଛରେ ପଡିଯାଇଛି ।