କନକବ୍ୟୁରୋ :  ବିଧାୟକ ବାବୁ ମୋ ଗାଁକୁ ରାସ୍ତା କେବେ ହେବ ? ରାସ୍ତା ନଥିବାରୁ ମୋ ୧୦ ବର୍ଷର ନାତି ଡାକ୍ତରଖାନା  ଯାଇପାରିଲା ନାହିଁ ।   ମୋ ନାତି ମରିଗଲା । ମୋ ନାତି ଭଳି ଆଉ କାହାର ଏଭଳି ଅବସ୍ଥା ନହେଉ ।  କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଜନଶୁଣାଣି ଶିବିରରେ କାନ୍ଦି କାନ୍ଦି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଆଗରେ ଏଭଳି ଗୁହାରି କରିଛନ୍ତି ଜଣେ ମହିଳା ।

Advertisment

ସୂଚନା ଅନୁସାରେ ଗତ ମାସ ୮ ତାରିଖରେ ପେଟଛେଲା ପଂଚାୟତର ଜଙ୍ଗଲଘେରୀ ଗାଁର ଦୁଖି ଭକ୍ତାଙ୍କ ୧୦ ବର୍ଷର ନାତି ଗାଧୋଇବାବେଳେ ପାଣିରେ ବୁଡି ଗୁରୁତର ହୋଇଥିଲେ ।  ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା ।  ଆଉ କାଦୁଅ ପଚ ପଚ ରାସ୍ତାରେ ଦୋଳିରେ କାନ୍ଧେଇ ନାତିକୁ ଛପାଲି - ଖରିନାସି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବାପରେ ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି କଥା ଜନଶୁଣାଣିରେ କାନ୍ଦି କାନ୍ଦି କହିଛନ୍ତି ଦୁଖି  । ଗାଁକୁ ରାସ୍ତା ଥିଲେ ଆମ୍ବୁଲାନ୍ସ ଯାଇଥାନ୍ତା ଆଉ ମୋ ନାତି ବଂଚି ଯାଇଥାନ୍ତା  । ମହିଳାଙ୍କ ବିକଳ ଅଭିଯୋଗ ଶୁଣି ବିଧାୟକଙ୍କ ଆଖି ବି ଛଳଛଳ ହୋଇ ଯାଇଥିଲା । ଏହାସହ ଖୁବଶିଘ୍ର  ଗାଁକୁ ରାସ୍ତା ନିର୍ମାଣ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି  ।