କନକ ବ୍ୟୁରୋ : ରାଉରକେଲାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ସ୍ଥାନୀୟ ସ’ ମିଲ୍ ଛକ ନିକଟରେ ଏକ ବୁଦା ମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ କହିଛି। କିଏ ଏବଂ କ’ଣ ପାଇଁ ଏ ହତ୍ୟାକାଣ୍ଡ ଘଟାଇଲା, ସେ ନେଇ ଛାନଭିନ୍ ଚଳାଇଛି ପୁଲିସ ।
ରାସ୍ତାକଡ଼ ବୁଦା ମୂଳେ ଦେଖିବାକୁ ମିଳିଥିଲା ଜଣେ ଯୁବତୀଙ୍କ ମର ଶରୀର। ବୟସ ୨୨ରୁ ୨୩ ହେବ। ଦେହରେ ଥିଲା ନୀଳ ରଙ୍ଗର ଜିନ୍ସକୁ ପିଙ୍କ୍ କଲର କୁର୍ତ୍ତି। ବେକରେ ଓଢ଼ଣୀ ବି ଲାଗିଥିଲା। ଏଭଳି ସ୍ଥିତିରେ ଯୁବତୀଙ୍କ ମର ଶରୀର ଦେଖିଥିଲେ ଜଣେ ସ୍ଥାନୀୟ ବାସିନ୍ଦା। ତୁରନ୍ତ ସେ ଆଖପାଖ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ କିଭଳି ସ୍ଥିତିରେ ମୃତ୍ୟୁ ହେଲା ତା ବି ଜଣାପଡ଼ିନି। ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୁଲିସ।
ଅଧିକ ପଢ଼ନ୍ତୁ :ରାଉରକେଲା ସରକାରୀ ଡାକ୍ତରଖାନାର ବିକଳ ଚିତ୍ର, ସେଣ୍ଟ୍ରାଲ ଲାବରେ ଝୁଲୁଛି ତାଲା
ଏପଟେ ଘଟଣାର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା। ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରିଛି। ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ। ଏଠି ପ୍ରଶ୍ନ ଉଠୁଛି ଯୁବତୀଙ୍କୁ ମାରିଲା କିଏ? ହତ୍ୟାକାଣ୍ଡ ପଛରେ କ’ଣ ହୋଇପାରେ କାରଣ? ଅନ୍ୟ କୌଣସି ଜାଗାରେ ହତ୍ୟା କରି ଏଠାରେ ମୃତଦେହ ଫିଙ୍ଗି ପ୍ରମାଣ ନଷ୍ଟ ଲାଗି ହୋଇନି ତ ଉଦ୍ୟମ?
Follow Us