କନକ ବ୍ୟୁରୋ : ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା । ସୂଚନା ଅନୁସାରେ, ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନିଜକୁ ବଞ୍ଚାଇବାକୁ ଯାଇ କ୍ଷତାକ୍ତ ହୋଇଛନ୍ତି ପୀଡ଼ିତା । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ହସ୍ପିଟାଲରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଛି ।
ତେବେ ଏହା ପୂର୍ବରୁ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୧୦ ଜଣଙ୍କୁ ବାନ୍ଧିଛି ପୁଲିସ । ୩ ଜଣ ଅଭିଯୁକ୍ତ ବାହାର ରାଜ୍ୟକୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ୧୦ ଜଣ ଦୁର୍ବୃତ୍ତ ପ୍ରଥମେ ଦୁହିଁଙ୍କୁ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ସମାନ ଭାବେ କେନ୍ଦୁଝର ତେନ୍ତଳାପଶି ଗାଁରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିଲେ ଅଭିଯୁକ୍ତ । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇ ଫେରାର ହୋଇଥିଲେ ।