ସ୍ୱାମୀ ହିଁ ସାଙ୍ଗମାନଙ୍କ ସହ ମିଶି କରିଛି ସ୍ତ୍ରୀର ହତ୍ୟା । କୋରାପୁଟ ନନ୍ଦପୁର ଅଞ୍ଚଳକୁ ଆସିଛି ଏଭଳି ଲୋମହର୍ଷଣକାରୀ ଖବର । ସକାଳେ ସୈତାନ ସ୍ୱାମୀ ଘଟଣାକୁ ଅନ୍ୟ ରୂପ ଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ତଦନ୍ତ ବେଳେ ସ୍ୱାମୀ ହିଁ ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି ।
ସକାଳେ ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ଆସିଥିଲା ନନ୍ଦପୁର ହାରିଆମୁଣ୍ଡା ଗାଁରୁ । କିନ୍ତୁ ସନ୍ଧ୍ୟା ହେଲା ବେଳକୁ ପୁଲିସର ଖୁଲାସାରେ ସବୁ କିଛି ବଦଳିଯାଇଥିଲା । ସ୍ୱାମୀ ମହେନ୍ଦ୍ର ଖରା ହିଁ ନିଜ ୨ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସାବିତ୍ରୀ ଖରାଙ୍କୁ ହତ୍ୟା କରିଛି ବୋଲି ଖୁଲାସା କରିଛି ପୁଲିସ । ମହେନ୍ଦ୍ର ଓ ସାବିତ୍ରୀ ସୁଭଦ୍ରା ଯୋଜନାରେ ନିଜର ଆଧାର ଅପଡେଟ୍ କରିବାକୁ ନିକଟସ୍ଥ ଆଧାରକେନ୍ଦ୍ରକୁ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ନିଜ ଘରକୁ ଫେରୁଥିବାବେଳେ ସାବିତ୍ରୀଙ୍କୁ ଆଗରୁ ଛକି ରହିଥିବା ମହେନ୍ଦ୍ରଙ୍କ ୨ ବନ୍ଧୁ ଠେଙ୍ଗାରେ ଆଘାତ ଦେଇଥିଲେ । ଗାଡିରୁ ସାବିତ୍ରୀ ପଡିଯିବା ପରେ ସୁନାଗହଣା ଲୁଟି ନିର୍ମମ ଭାବେ ହତ୍ୟା କରିଥିଲେ ।
ମହେନ୍ଦ୍ର ହିଁ ପୁରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ବୋଲି ପୁଲିସ କହିଛି । ହତ୍ୟା ପରେ ମହେନ୍ଦ୍ର ଘଟଣାକୁ ଅନ୍ୟ ରୂପ ଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ସନ୍ଦେହ ହେବାରୁ ମହେନ୍ଦ୍ରଙ୍କୁ ହସପିଟାଲରୁ ପୁଲିସ ଉଠାଇଆଣିଥିଲା । ସାବିତ୍ରୀଙ୍କୁ ମହେନ୍ଦ୍ର ୮ ମାସ ତଳେ ବିବାହ କରିଥିଲା । କିନ୍ତୁ ବିବାହ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ଆଉ ଏଥିପାଇଁ ସାବିତ୍ରୀଙ୍କୁ ମହେନ୍ଦ୍ର ହତ୍ୟା କରିଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ।
ତେବେ ସାବିତ୍ରୀଙ୍କୁ ଦୁଷ୍କର୍ମ ହୋଇଛି କି ନାହିଁ ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଜଣାପଡିବ । ହତ୍ୟା ପଛରେ ପାରିବାରିକ ବିବାଦ ନା ଅନ୍ୟ କିଛି କାରଣ ସେ ନେଇ ତଦନ୍ତ ଚାଲିଛି । ଘଟଣାରେ ଆଉ କିଏ ସାମିଲ ଅଛି ନା ନାହିଁ ସେ ନେଇ ଛାନଭିନ କରୁଛି ପୁଲିସ ।