କନକ ବ୍ୟୁରୋ : ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ସବୁ ଯୋଜନା ଯେପରି ଫେଲ ମାରିଛି ମହିଳାଙ୍କ ପାଇଁ। ଖୋଲା ଆକାଶ ତଳେ ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ। ପ୍ରଶାସନ ପକ୍ଷରୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ବାରମ୍ଵାର ପ୍ରତିଶୃତି ଦିଆଯାଉ ଥିଲେ ବି ଆଜି ପର୍ଯ୍ୟନ୍ତ ମିଳିଲାନି ଘର । ଅତି ଦୁଃଖ କଷ୍ଟରେ କାଟୁଛନ୍ତି ଦିନ । ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେନି ମହିଳାଙ୍କ କଷ୍ଟ ।

Advertisment

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆ ଗାଁର ଜାନକୀ ରଣା । କରୋନା ସମୟରେ ସ୍ୱାମୀ ଆରପାରିକୁ ଯିବା ପରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଝାଟିମାଟିର ଭଙ୍ଗା କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଅର୍ଥ ଅଭାବରୁ ଘର ଛପର ହୋଇନପାରି ଭାଙ୍ଗିରୁଜି ଗଲାଣି । ଭଙ୍ଗା ବାରଣ୍ଡାରେ ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଜାନକୀ । ଦୁଇ ଝିଅଙ୍କୁ ବାହାଦେବା ପରେ କାମଧନ୍ଦା ପାଇଁ ପୁଅ ବିଦେଶରେ । ବାପାଙ୍କ ମୃତ୍ୟୁ ପରେ ବି ଘରକୁ ଆସିନଥିଲା ପୁଅ । ଗାଁ ଲୋକଙ୍କ ସହ‌ଯୋଗରେ ଶବ ସତ୍କାର ସହିତ ଶୁଦ୍ଧିକ୍ରୀୟା ହୋଇଥିଲା । ଏବେ ରାସନ କାର୍ଡରେ ମିଳୁଥିବା ଚାଉଳ ଓ ଭତା ଟଙ୍କା ହିଁ ତାଙ୍କର ବଂଚିବାର ସାହାରା ପାଲଟିଛି । ଯେଉଁଥିରେ ଚଳିବା ଅତ୍ୟନ୍ତ କଷ୍ଟକର ।

ପୂର୍ବରୁ ଏନେଇ ଖବର ପ୍ରସାରଣ ପରେ ତହସିଲ ପକ୍ଷରୁ ତାଙ୍କୁ ପଲିଥିନଟିଏ ମିଳିଥିଲା । ସେ ପଲିଥିନ୍ ମଧ୍ୟ ନଷ୍ଟ ହୋଇଗଲାଣି । ଘର ଖଣ୍ଡିଏ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପ୍ରତିଶ୍ରୁତିରେ ରହିଯାଇଛି । ଏ ସମ୍ପର୍କରେ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଆବାସ ଯୋଜନାରେ ଲୋକଙ୍କୁ ହଜାର ହଜାର ଘର ବଣ୍ଟନ ହୋଇଥିବା ବେଳେ ଜାନକୀଙ୍କୁ ଘର ଖଣ୍ଡିଏ ମିଳିନାହିଁ । ଫଳରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଜାନକୀ ।