କନକ ବ୍ୟୁରୋ : ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ସବୁବେଳେ ଚିନ୍ତା ଲାଗି ରହିଛି । ଏ ସମାଜ ଶିକ୍ଷା କ୍ଷେତ୍ରରେ ଯେତେ ଆଗେଇଲେ ମଧ୍ୟ କିଛି ଅମାନସିକ ଲୋକ ଆଜିବି ଅଶିକ୍ଷିତ ହୋଇ ରହିଛନ୍ତି । ଯେଉଁମାନେ କି ମହିଳାମାନଙ୍କୁ ଖରାପ ନଜରରେ ଦେଖନ୍ତି । ଯାହାଙ୍କ ପାଇଁ ନାରୀମାନେ ବାହାରେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ସେହିପରି ପୁଣି ଥରେ ମୁମ୍ବାଇରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । କ୍ୟାବ୍ରେ ଯାତ୍ରା କରୁଥିବା ସମୟରେ ଜଣେ ୨୮ ବର୍ଷୀୟା ମହିଳା ପାଇଲଟ୍ଙ୍କୁ ହୋଇଛି ଅସଦାଚାରଣ । ଯୌନ ଉତ୍ପୀଡ଼ନ ଏବଂ ଧମକ ଦେଇଥିବା ଅଭିଯୋଗ କରିଥିଲେ ମହିଳା ଜଣଙ୍କ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଉବେର କ୍ୟାବ୍ ଡ୍ରାଇଭରଙ୍କ ସମେତ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗୁରୁବାର ରାତିରେ ମହିଳା ଜଣକ ଦକ୍ଷିଣ ମୁମ୍ବାଇରୁ ଘାଟକୋପରସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା ।
ପୀଡିତା ପୁଲିସକୁ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ଜଣେ ନୌସେନା ଅଧିକାରୀ । ସେ ବର୍ତ୍ତମାନ ନୌସେନା କ୍ୟାମ୍ପ୍ରେ ରହୁଛନ୍ତି । ମହିଳା ଜଣଙ୍କ ଘାଟକୋପରରେ ରୁହନ୍ତି । ସେ ତାଙ୍କ ସ୍ୱାମୀଙ୍କୁ ଦେଖା କରି ଫେରିବା ସମୟରେ ରାତି ପ୍ରାୟ ୧୧:୧୫, ସେ କ୍ୟାମ୍ପ୍ ନିକଟରୁ ଏକ କ୍ୟାବ୍ରେ ବସିଲେ । କିଛି ବାଟ ଯିବା ପରେ ଡ୍ରାଇଭର ଜଣଙ୍କ ନିର୍ଦ୍ଧାରିତ ରୁଟ୍ରୁ ଗାଡ଼ିକୁ ବୁଲାଇ ଦେଇଥିଲେ ଏବଂ ରାସ୍ତାରେ ଦୁଇଜଣ ଅଜଣା ପୁରୁଷଙ୍କୁ ସେହି ଗାଡ଼ିରେ ଉଠାଇଥିଲେ । ସେହି ଦୁଇ ପୁରୁଷଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ପଛରେ ବସି ତାଙ୍କୁ ଅଶାଳୀନ ବ୍ୟବହାର କଲେ । ସେ ଯେତେବେଳେ ପ୍ରତିବାଦ କରି ଚିତ୍କାର କଲେ କରିବାକୁ ଲାଗିଲେ ଅନ୍ୟ ଜଣେ ତାଙ୍କୁ ଧମକ ଦେବା ଆରମ୍ଭ କଲେ ।
କିଛି ବାଟ ପର୍ଯ୍ୟନ୍ତ ଗାଡ଼ି ସେମିତି ରାସ୍ତାରେ ଚାଲିଥାଏ ଏବଂ ମହିଳା ଜଣଙ୍କ ସେହି ଅମଣିଷଙ୍କ ସହ ଲଢୁଥାନ୍ତି । କିଛି ବାଟ ଗଲା ପରେ କ୍ୟାବ୍ଟି ଏକ ପୁଲିସ ଷ୍ଟେସନ୍ ଦେଇ ଅତିକ୍ରମ କରୁଥିଲା । ସେଠାରେ ମହିଳା ଜଣଙ୍କ ଜୋର୍ରେ ଚିତ୍କାର କରିବାରୁ ସେ ପୁରୁଷ ଦୁଇ ଜଣ ଗାଡ଼ିରୁ ବାହା ଦୌଡ଼ି ପଳାଇଲେ । ଏହା ପରେ ମହିଳା ଜଣଙ୍କ ପୁଲିସ ଷ୍ଟେସନ୍ରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ଘଟଣାର ତଦନ୍ତ । ଘଟଣାର ଗମ୍ଭୀରତାକୁ ବିଚାର କରି ପୁଲିସ ଉବେର କ୍ୟାବ୍ ଡ୍ରାଇଭରକୁ ହେପାଜତକୁ ନେଇଛି । ଏହା ସହ ଦୁଇ ଅଜଣା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ଦଳ ଗଠନ କରାଯାଇଛି ।
ସବୁଠୁ ବଡ଼ କଥା ହେଉଛି , ଆପ୍-ଭିତ୍ତିକ କ୍ୟାବ୍ ସେବାର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଉଠିଛି । ଜଣେ ଡ୍ରାଇଭର କିପରି ରୁଟ୍ ପରିବର୍ତ୍ତନ କରି ଦୁଇଜଣ ଅଜଣା ବ୍ୟକ୍ତିଙ୍କୁ କ୍ୟାବ୍ରେ ବସାଇପାରିବେ ? ରାଇଡ୍ ଟ୍ରାକିଂ, ରୁଟ୍ ଡେଭିଏସନ୍ ଆଲର୍ଟ ଭଳି ସିଷ୍ଟମ କ'ଣ ଯଥେଷ୍ଟ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପ୍ କମ୍ପାନିଗୁଡ଼ିକ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନିଅନ୍ତି କି ନାହିଁ ?