କନକ ବ୍ୟୁରୋ: ’ମୁଁ ଆଉ ସହିପାରୁନି… ପୁଅର କଷ୍ଟ ନା ଦେଖିପାରୁଛି ନା ନିଜେ ସହିପାରୁଛି । ତୁମେ ବି ଆମ ଦୁଇଜଣଙ୍କ ପାଇଁ ଭାରୀ ଘାଣ୍ଟି ହେଲଣି । ତୁମକୁ ଆଉ କଷ୍ଟ ଦେବାକୁ ଚାହୁsssନୁ । ଆମ ଯୋଗୁଁ ତୁମ ଜୀବନ ନଷ୍ଟ ନହେଉ । ମୁଁ ମୋ ପୁଅକୁ ନେଇ ସବୁ ଦିନ ପାଇଁ ଚାଲିଯାଉଛି । ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ । ତୁମେ ନିଜକୁ ସମ୍ଭାଳିବ’…
 

Advertisment

ଏ ଥିଲା ଆତ୍ମହତ୍ୟା ପୂର୍ବରୁ ସାକ୍ଷୀଙ୍କର ସୁଇସାଇଡ୍ ନୋଟ୍ । ନିଜ ସ୍ବାମୀଙ୍କ ପାଇଁ ଏଭଳି କିଛି ଲେଖି ପୁଅ ସହ ୧୩ ମହଲାରୁ ଡେଇଁପଡ଼ି ଜୀବନ ହାରିଛନ୍ତି ସାକ୍ଷୀ ଚାୱାଲା ।

ଗ୍ରେଟର ନୋଇଡା ୱେଷ୍ଟ ସ୍ଥିତ ଏସ୍ ସିଟି ସୋସାଇଟିରେ ସାକ୍ଷୀ ଚାୱଲା , ପୁଅ ଦକ୍ଷ ଓ ସ୍ବାମୀ ଦର୍ପଣ ଚାୱଲାଙ୍କ ସହ ୧୩ ମହଲାରେ ରହୁଥିଲେ । ସ୍ବାମୀ ଦର୍ପଣ ଜଣେ ଚାଟାର୍ଡ ହୋଇଥିବାବେଳେ ସାକ୍ଷୀ ଆଇଟି କମ୍ପାନୀରେ ଉଚ୍ଚ ପଦରେ ଚାକିରି କରୁଥିଲେ । ପୁଅଟିଏ ହେବା ପରେ ବି ଚାକିରି କରୁଥିଲେ । କିନ୍ତୁ ସମୟ ବଢ଼ିବା ସହ ପୁଅଠାରେ କିଛି ଅନିୟମିତତା ଦେଖିବାକୁ ମିଳିଲା । ଶରୀର ବଢ଼ୁଥିଲା କିନ୍ତୁ  ଅନ୍ୟ ପିଲାଙ୍କ ଭଳି ତା’ଠାରେ କୌଣସି ମାନସିକ ବିକାଶ ଦେଖାଗଲା ନାହିଁ । ନା କଥା କହିପାରୁଥିଲା ନା କିଛି କହିଲେ ପ୍ରତିକ୍ରିୟା ଦେଉଥିଲା । ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଦକ୍ଷର ଅଟିଜିମ୍ ସମସ୍ୟା ଥିବା କଥା ଜଣାପଡ଼ିଥିଲା । ଏହାପରେ ପୁଅ ପାଇଁ ବାଧ୍ୟ ହୋଇ ଚାକିରି ଛାଡ଼ିଥିଲେ  ସାକ୍ଷୀ । ଘରେ ରହି ପୁଅର ଦେଖାରଖା କଲେ । ସ୍ବାମୀ ସ୍ତ୍ରୀ ଦୁହେଁ ଦକ୍ଷକୁ ନେଇ ଅନେକ  ହସ୍ପିଟାଲ ଗଲେ । ହେଲେ ଦକ୍ଷଠାରେ କିଛି ଉନ୍ନତି ଦେଖାଗଲାନାହିଁ । ଏହାସହ ପୁଅର ଦେହ ବି ଅନେକ ସମୟରେ ଖରାପ ହେଉଥିଲା । ସାକ୍ଷୀ ବି ଭାଙ୍ଗିପଡ଼ୁଥିଲେ । ପୁଅର ବାରମ୍ବାର ଦେହ ଖରାପ ହେଉଥିବାରୁ ଆଉ ଧୈର୍ଯ୍ୟ ଧରିପାରିଲେନି ସାକ୍ଷୀ । ସ୍ବାମୀଙ୍କ ପାଇଁ  ସୁଇସାଇଡ୍ ନୋଟ୍ ଲେଖି ୧୧ ବର୍ଷର ପୁଅ ଦକ୍ଷକୁ ଧରି ୧୩ ମହଲା ବାଲକୋନିରୁ ଡେଇଁପଡ଼ିଲେ । ସୁଇସାଇଡ୍ ନୋଟରୁ ପୁଲିସ ଏହା ଖୁଲାସା କରିଛି । ଆତ୍ମହତ୍ୟା ପୂର୍ବ ଦିନ ସ୍ବାମୀ ସ୍ତ୍ରୀ ଦୁହେଁ ପୁଅକୁ ନେଇ ପଞ୍ଜାବରେ ପୁଅକୁ ଡାକ୍ତର ଦେଖାଇବାକୁ ଯାଇଥିଲେ । 

ଯେଉଁ ଯନ୍ତ୍ରଣା ସାକ୍ଷୀ ଚାୱଲା ଭୋଗିଛନ୍ତି ସେଭଳି ସମସ୍ୟା ଆମ ସମାଜରେ ଅନେକ ମହିଳା ଭୋଗୁଛନ୍ତି । ଜଣେ ଅଟିଜିମ୍ ପିଲାର ଦାୟିତ୍ବ ନେବା ଅନେକ କଷ୍ଟ । ଏଭଳି ପିଲାଙ୍କୁ ପାଖେ ପାଖେ ଜଗି ରହିବାକୁ ପଡ଼େ । ଆଉ ସବୁଠୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଟିଜିମ୍ ପିଲାର ମାଆଙ୍କୁ ସମ୍ପର୍କୀୟଙ୍କଠାରୁ ସହଯୋଗ ଓ ସହାନୁଭୂତି ମିଳିବା ଦରକାର ।  ଅନେକ ସମୟରେ ଦେଖିବାକେ ମିଳେ ଅଟିଜିମ୍ ପିଲା ଜନ୍ମ ଦେଇଥିବାରୁ ଜଣେ ମଆକୁ ଅନ୍ୟମାନଙ୍କଠାରୁ ବହୁତ କଥା ଶୁଣିବାକୁ ପଡ଼େ ।  କୁକର୍ମର ଫଳ ବୋଲି କହି ଅନେକ ତାଙ୍କୁ ଭର୍ତ୍ସନା ବି କରନ୍ତି । ଏଥିରେ ମା’ଟି ଅତିଷ୍ଠ ହୋଇପଡ଼େ ।ଆଉ ସାକ୍ଷୀଙ୍କ ପରି ଚରମ ବାଟକୁ ବାଛିନେବା ତା ପାଇଁ କିଛି ଅସମ୍ଭବ ନୁହେଁ ।ତେଣୁ ଆମର ବିଶ୍ବାସ ଏ ଖବର ଦେଖିବା ପରେ ଅନ୍ତତଃ ଅଟିଜିମ୍ ପିଲାଙ୍କ ବାପା, ମାଆଙ୍କୁ ଯଥେଷ୍ଟ  ସ୍ନେହ ଓ ସହାନୁଭୂତି ଦେବେ ।