କନକ ବ୍ୟୁରୋ: ରାଜଧାନୀରେ ସବୁ ସୀମା ସରହଦ ପାର କରିଦେଲେ ଲୁଟେରା ଗ୍ୟାଙ୍ଗ । ସୁନା ଲୁଟିବା ବେଳେ ଜୀବନ ନେବାକୁ ବି ପଛାଉ ନାହାନ୍ତି ଏମାନେ । ରାତି ତ ରାତି ଦିନ ବେଳେ ବି ହୋଇ ପଢୁଛନ୍ତି ରକ୍ତମୁଖା । ହଁ ଆଜ୍ଞା ଏହିଭଳି ଚିତ୍ର ଏବେ ଦେଖିବାକୁ ମିଳିଛି ଏୟାରଫିଲଡ ଥାନା ଅଧୀନ ଲବଣଗିରି ଛକ ନିକଟରେ । ସେଦିନ ଥିଲା ୧୧ ନଭେମ୍ବର ୨୦୨୪, ସମୟ ପାଖାପାଖି ଦିନ ଗୋଟାଏ ସ୍ୱାମୀଙ୍କ ସହ ସ୍କୁଟିରେ ଯାଉଥିଲେ ପତ୍ନୀ ୟୁ. ବିଷ୍ଣୁ ପାତ୍ର । ପଛେ ପଛେ ପିଛା କରୁଥିଲେ, ଦୁଇ ଲୁଟେରା । କଳା ପଲସରରେ ଦୁଇ ମୁଖା ପିନ୍ଧା ଲୁଟେରା କିଛି ରାସ୍ତା ଗୋଡ଼ାଇବା ପରେ, ବିଷ୍ଣୁଙ୍କ ବେକରୁ ଚେନ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ । ଚେନ ଟି ମୋଟା ହୋଇଥିବାରୁ ଛିଣ୍ଡି ନଥିଲା, କିନ୍ତୁ ମହିଳା ସ୍କୁଟିରୁ ସିଧା ରାସ୍ତା ଉପରେ ପଡ଼ି ଯାଇଥିଲେ । ଆଉ ଲୁଟେରାମାନେ, ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ମାରାଣନ୍ତକ ଆକ୍ରମଣ କରିବା ସହ ତାଙ୍କ ବେକରୁ ଚେନ ଆଉ ସୁନା ଗହଣା ଲୁଟି ନେଇଥିଲେ ।
ଶହେରୁ ଅଧିକ ସ୍ପିଡ଼ରେ ଆଖିବୁଜା ଗାଡ଼ି ଚଳାଇ ଛୁ ମାରୁଛନ୍ତି । ଏଣେ ମହିଳାଙ୍କ ମୁଣ୍ଡ ମାଡ଼ ହେବା ସହ ଲହୁଲୁହାଣ ହୋଇଥିଲେ । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲ ବେଡ଼ରେ ସଙ୍ଘର୍ଷ କରିବା ପରେ ଆଖି ବୁଝିଦେଲେ ୟୁ. ବିଷ୍ଣୁ ପାତ୍ର । ସେପଟେ ପୋଲିସ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ମୃତଦେହ ବ୍ୟବଚ୍ଛେଦ ପରେ ସିସିଟିଭି ଚେକିଂ ଆରମ୍ଭ କରିଛି ସ୍ପେଶାଲ ସ୍କ୍ବାର୍ଡ ଓ ଏୟାରଫିଲଡ଼ ଥାନା । ନିକଟରେ ଥିବା ଏହି ରଙ୍ଗ ଦୋକାନରେ ସିସିଟିଭି ଦେଖି ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନେ ପେସାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କୁ ଚି଼ହ୍ନଟ କରାଯିବା ସହ ଏହି ଅପରାଧୀଙ୍କ ନାଁରେ ମାଳମାଳ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ସୁନା ପିନ୍ଧି ବାହାରକୁ ଯାଉଥିବା ବେଳେ ସଚେତନ ହେବାକୁ କହିଛନ୍ତି ଏସିପି ।
ଅତୀତରେ ଅପରାଧୀମାନେ ସୁନା ଗହଣା ଲୁଟ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଲୁଟ ବେଳେ ମହିଳାଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଏବେ କୋକୁଆ ଭୟ ସୃଷ୍ଟି କରିଛି । ଏହି ଛାତିଥରା ଦୃଶ୍ୟ ଦେଖିବା ପରେ ରାଜଧାନୀବାସୀଙ୍କ ମୁଁହରେ କେବଳ ଗୋଟିଏ କଥା... ଏବେ ନିଜ ସୁରକ୍ଷା ନିଜ ହାତରେ ।