କନକ ବ୍ୟୁରୋ: ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ । ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଅଧାବାଟରେ ଅକ୍ସିଜେନର ଆବଶ୍ୟକତା ପଡିଥିଲା । କିନ୍ତୁ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀଙ୍କ ମୃତ୍ୟୃ ହୋଇଛି । ପରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ । ବର୍ତ୍ତମାନ ଉକ୍ତ ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି । ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର ୫୮ ବର୍ଷୀୟ ମହିଳା କମଳା ପଣ୍ଡା ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରୁ ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତରିତ ହେଉଥିବା ସମୟରେ ବାଟରେ ରୋଗୀକୁ ଅକ୍ସିଜେନର ଆବଶ୍ୟକ ପଡିଥିଲା । ମାତ୍ର ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିବାର ଲୋକମାନେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଜିମା ଦେଇଛନ୍ତି । ଆମ୍ବୁଲାନ୍ସରେ ଅକ୍ସିଜେନ ରହିବା ବାଧ୍ୟତାମୁଳକ ଥିବା ସତ୍ତ୍ୱେ କିପରି ବିନା ଅକ୍ସିଜେନରେ ଆମ୍ବୁଲାନ୍ସ ଚାଲୁଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।