କନକ ବ୍ୟୁରୋ : ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ଘଟଣାର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ପୁରୁଷ ବନ୍ଧୁ ଦୀପକକୁ ପୁଲିସ ଧରିବା ପରେ ହତ୍ୟା ପଛରେ ଥିବା ଷଡଯନ୍ତ୍ର ଖୋଲିବାରେ ଲାଗିଛି । ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କୁ ଦୀପକ ବୀମା ଟଙ୍କା ପାଇଁ ହତ୍ୟା କରିଥିବା କଥା ସାମ୍ନାକୁ ଆସୁଛି । ଏହାସହ ଏହି ହତ୍ୟାକାଣ୍ଡ ଓ ଶବକୁ ଭୁବନେଶ୍ୱରରୁ ନେଇ କେନ୍ଦୁଝରର ଏକ ଜଙ୍ଗଲରେ ପୋତିବା କାମରେ ଦୀପକକୁ ତାର ଦୁଇ ବନ୍ଧୁ ପପୁ ଓ ଜଟିଆ ସହଯୋଗ କରିଥିବା କଥା ନିଜେ ଦୀପକ ସ୍ୱୀକାର କରିଛି । ୫୦ ଲକ୍ଷ ବୀମା ଟଙ୍କା ପାଇଁ ପିଶାଚ ପ୍ରେମିକ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ସୂତ୍ର କହୁଛି କି, ଶୁଭମିତ୍ରାଙ୍କୁ ରାଜଧାନୀରେ ହତ୍ୟା କରିବା ପରେ ମୃତଦେହକୁ କେନ୍ଦୁଝର ନିଆଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜେସିବି ସହାୟତାରେ ଗାତ ଖୋଳି ଶୁଭମିତ୍ରାଙ୍କ ମୃତଦେହକୁ ପୋତି ଦିଆଯାଇଥିଲା । ଶବକୁ ଜଙ୍ଗଲରେ ପୋତିବା କାମରେ ଜଟିଆ ଓ ପପୁ ଦୀପକକୁ ସହଯୋଗ କରିଥିଲେ ।
ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଦୀପକକୁ ଗିରଫ କରି କେନ୍ଦୁଝର ନେଇଛି । ସେଠାରେ ପୁଣି ଜେସିବି ସହାୟତାରେ ମୃତ ଶୁଭମିତ୍ରାର ଶବକୁ ଗାତରୁ ବାହାର କରାଯାଇଛି । ହେଲେ ଏହି ଘଟଣାରେ ଦୀପକ, ପପୁ ଓ ଜଟିଆଙ୍କ ବ୍ୟତୀତ ଅନ୍ୟ କାହାର ସଂପୃକ୍ତି ରହିଛି ସେନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।