କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ନାଳ ପାର ହୋଇ ପ୍ରସୂତିଙ୍କୁ ୧ କିମି ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଏକୁଲ ଗାଁରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । ଏକୁଲ ଗାଁର ନିରଞ୍ଜନ ଦେହୁରୀଙ୍କ ପତ୍ନୀ ଉପାସି ଦେହୁରୀଙ୍କର ପ୍ରସବ ବେଦନା ହେବାରୁ ଘର ଲୋକେ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଆମ୍ବୁଲାନ୍ସ ୧ କିମି ଦୂରରେ ଅଟକି ରହିଲା । କାରଣ ଗାଁକୁ ଯିବାକୁ ହେଲେ ପିଛୁଳି ନାଳ ପାର ହେବାକୁ ପଡ଼ିବ । ଏବେ ବର୍ଷା ପାଇଁ ନାଳରେ ପାଣି ବଢିବା ସହ ପଥର ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ।
ଫଳରେ ଏକ କିମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଆସିଥିଲେ ଉପାସୀ ଏବଂ ପରେ କଙ୍କଡାହାଡ଼ ମେଡ଼ିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏ ଘଟଣା ଆଜିର ନୁହେଁ ପ୍ରତ୍ୟେକ ଦିନ ଏମିତି କିଛି ନା କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ନାଳ ଉପରେ ଏଠାରେ ଏକ ସେତୁ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କିଛି ସୁଫଳ ନମିଳିବାରୁ ଏଭଳି ଅସୁବିଧା ହୋଇଥିବା ଅଭିଯୋଗ ହୋଇଛି ।