କନକ ବ୍ୟୁରୋ : ପ୍ରତିଟି ମଣିଷ ଜୀବନରେ କିଛି ନା କିଛି ଜିନିଷ ହଜାଇଥିବେ । ବେଳେବେଳେ ହଜିଲା ଜିନିଷଟି କିଛି କ୍ଷେତ୍ରରେ ପାଇଥିବେ । ହେଲେ ସୁନା ଏପରି ଏକ ଧାତୁ ଯାହା ହଜାଇଦେଲେ ମିଳିବାର ଆଉ ଚାନ୍ସ ନାହିଁ । ଯଦି ବି ମିଳିଗଲା ଭାଗ୍ୟ ଭଲ ଥିଲା ବୋଲି ଜାଣ । ଆପଣ ଥରେ ଭାବନ୍ତୁ ଯଦି ଘର କାମ କରିବା ସମୟରେ ତରତର ହୋଇ ଭୁଲବଶତଃ ଡଷ୍ଟବିନରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ପଡ଼ିଯାଏ ତା’ହେଲେ ପୁନଃ ଆପଣଙ୍କୁ ଆଉ ସେ ମୂଲ୍ୟବାନ ଧାତୁ ମିଳିବ ? ଆପଣଙ୍କ ଉତ୍ତର ହୁଏ ତ ଅସମ୍ଭବ ହୋଇପାରେ । କିନ୍ତୁ ଏଭଳି ଏକ ଅସମ୍ଭବ କାମ ଏବେ ସମ୍ଭବ ହୋଇଯାଇଛି । 

Advertisment

ଆଗକୁ ପଢ଼ନ୍ତୁ : ମହଙ୍ଗା ରାସ୍ତାରେ ଚାଲିବେ ଶେଖ୍ : ତିଆରି ହେବ ‘ସୁନାର ସଡ଼କ’ ! ବିଶ୍ବ ଦେଖିବ ଦୁବାଇର କମାଲ୍

ସୁନାର ସହର କୁହାଯାଉଥିବା ସୁଦୂର ଦୁବାଇରେ ଡଷ୍ଟବିନରେ ପଡ଼ିଥିବା ସୁନା ପୁଣିଥରେ ମିଳିଯାଇଛି । ଦୁବାଇରେ ଜଣେ ମହିଳା ଘର କାମ କରିବା ସମୟରେ ଭୁଲରେ ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ଡଷ୍ଟବିନରେ ପକାଇଦେଲେ । କିନ୍ତୁ ତାଜୁବର କଥା ହେଉଛି ସୁନା ହଜାଇବା ପରେ ମହିଳା ପୁଲିସରେ ଏହାକୁ ନେଇ କୌଣସି ମାମଲା ରୁଜୁ ନ କରିଥିଲେ ହେଁ ତାଙ୍କୁ ତାଙ୍କ ସୁନା ମିଳିଯାଇଥିଲା । ୨୩ ବର୍ଷ ଦୁବାଇରେ ରହିବା ପରେ କାମିନି କାନନ ନାମକ ଏହି ମହିଳା ବାହାଘରରେ ସାମିଲ ହେବା ପାଇଁ ପୁନଃ ଦୁବାଇ ଯାଇଥିଲେ । ସେ ସେଠାରେ ସୁନାରେ ଇନଭେଷ୍ଟ୍ ମଧ୍ୟ କରିଥିଲେ ଏବଂ ଅଳଙ୍କାରକୁ ଏକ ପାଉଚରେ ଭର୍ତ୍ତି କରି ରଖୁଥିଲେ । ବିବାହ ଶେଷ ହେବା ପରେ ସେହି ପାଉଚରେ ସୁନା ରଖିଥିଲେ । କିନ୍ତୁ ଘର ସଫା କରିବା ସମୟରେ ତାଙ୍କ ପୁଅ ଭୁଲବଶତଃ ପାଉଚଟି ଅଳିଆଗଦାରେ ପକାଇ ଦେଇଥିଲେ । ଯେଉଁଥିରେ ୧୨ ଲକ୍ଷ ଟଙ୍କାର ୨୨ କ୍ୟାରେଟର ସୁନାର କଏନ୍ ଥିଲା । 

ବହୁତ ଖୋଜାଖୋଜି ପରେ ସୁନା ନ ମିଳିବାରୁ ସମସ୍ତଙ୍କ ମନ ଦୁଃଖ ହେବା ସହ ହଜିଲା ସୁନା ଆଉ ପାଇବେ ନାହିଁ ବୋଲି ଧରି ନେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁବାଇର ଆଇନ୍ ବ୍ୟବସ୍ଥା ଏତେ ଷ୍ଟ୍ରଙ୍ଗ୍ ଯେ ମାତ୍ର ୪ ଦିନ ଭିତରେ ହିଁ କାମିନିଙ୍କୁ ତାଙ୍କ ହଜିଲା ଧନ ମିଳିଯାଇଥିଲା । ଭାରତରେ ଯେଉଁଠି କିଛି ଜିନିଷ ହଜିଲେ ବାରମ୍ବାର ଥାନାକୁ ଧାଇଁଲେ ମଧ୍ୟ କିଛି ସୁଫଳ ମିଳେନି , ଦୁବାଇରେ ପୁଲିସ କାମିନିଙ୍କ ଘରକୁ ଆସି ହଜିଲା ସୁନା ଦେଇକରି ଗଲେ । ସୂଚନା ଅନୁସାରେ ସୁନାର ପାଉଚଟି ଜଣେ ସଫେଇକର୍ମୀଙ୍କୁ ମିଳିଥିଲା । ଯାହାକୁ ନେଇ ସେ ପୁଲିସକୁ ଦେଇଥିଲେ । ପୁଲିସ ତଦନ୍ତ କରି ଯାହାର ସୁନା ତାଙ୍କୁ ଫେରାଇଥିଲେ । କାମିନିଙ୍କ ପୁଅ ପୁଲିସକୁ ସୁନାର ମାଲିକାନା ଏବଂ ଫଟୋ ଦେଖାଇ ପୁଲିସ ଷ୍ଟେସନରୁ ସୁନା ଆଣିଥିଲେ । ଏହି ଘଟଣାଟି ଭାରତରେ ଘଟିଥିଲେ ବୋଧହୁଏ ସୁନା ପାଇବା କାମିନିଙ୍କ ପାଇଁ ସ୍ବପ୍ନ ହୋଇଥା’ନ୍ତା କିନ୍ତୁ ସବୁବେଳେ ଚର୍ଚ୍ଚାରେ ଥିବା ଦୁବାଇର ଆଇନ୍ ପୁନଃ ପ୍ରମାଣିତ କରିଦେଲା ଯେ ସେଠାକାର ସିଷ୍ଟମ ଲୋକଙ୍କ ସୁରକ୍ଷା ପାଇଁ କେତେ ହିତକର ।