କନକ ବ୍ୟୁରୋ:                       ଉପରେ ହସ ଭିତରେ ବିଷ
                                         ମୋଦୀଙ୍କ ସାଙ୍ଗ କହି କହି ଗୋଛି କାଟୁଛନ୍ତି ଟ୍ରମ୍ପ୍
                                         ବୃଦ୍ଧାଙ୍କୁ ବାନ୍ଧି ପଠାଇଦେଲେ ଭାରତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି । ପ୍ରଥମେ ଭାରତକୁ ତାଗିଦ୍ କଲେ । ଋଷଠାରୁ ତେଲ ନକିଣିବାକୁ ଭାରତକୁ ବାଧ୍ୟକଲେ  । ହେଲେ ଭାରତ ନମାନିବାରୁ ଟାରିଫ୍ ପରେ ଟାରିଫ୍ ଲଗାଇଲେ । ଏତିକିରେ ଶାନ୍ତି ହେଲେନି ଯେ, ଭାରତୀୟଙ୍କୁ ସୁବିଧା ଦେଉଥିବା H1-B ଭିସା ଉପରେ ବି କଡ଼ା ନିୟମ କଲେ । ତଥାପି ଚୁପ୍ ବସିବାକୁ ନାରାଜ୍  ଟ୍ରମ୍ପ । ଏବେ ତ ସେ ସବୁ ମାନବିକତାକୁ ଟପିଯାଇଛନ୍ତି । ଆମେରିକାରେ ରହୁଥିବା ଜଣେ ୭୩ ବର୍ଷୀୟା ବୃଦ୍ଧାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କୁ ଭାରତ ପଠାଇଦେଇଛନ୍ତି । ଏହି ଘଟଣାକୁ ନେଇ ଏବେ ଶିଖ୍ ସମ୍ପ୍ରଦାୟ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

Advertisment

ଭାରତୀୟ ମୂଳବାସିନ୍ଦା ହରଜୀତ୍ କୌର । ଗତ ୩୦ ବର୍ଷ ଧରି ସେ ଆମେରିକାରେ ନିଜ ପୁଅମାନଙ୍କ ସହ ରହିଆସୁଥିଲେ । ଏତେବର୍ଷ ଆମେରିକାରେ ରହି ବି ପରେ ତାଙ୍କୁ ଡିପୋର୍ଟ କରିଦେଇଛନ୍ତି ଟ୍ରମ୍ପ ସରକାର । ପଞ୍ଜାବ ମୋହାଲିର ମୂଳ ବାସିନ୍ଦା ହରଜୀତ୍ ଏବେ ଭାରତ ଫେରି ତ ଆସିଛନ୍ତି କିନ୍ତୁ ଭାରତ ଆସିବା ପୂର୍ବରୁ ତାଙ୍କୁ ଆମରିକାରେ ଯେମିତି ଅକଥନୀୟ ନିର୍ଯାତନା ଦିଆଯାଇଛି ତାହା କେବଳ ତାଙ୍କୁ ନୁହେଁ ବରଂ ପୂରା ଭାରତ ପାଇଁ ଅପମାନ ବୋଲି କୁହାଯାଉଛି । ଏଥିରେ ତାଙ୍କ ପରିବାରବର୍ଗଙ୍କୁ ଶକ୍ତ ଝଟକା ଲାଗିଛି ।
ରିପୋର୍ଟ ମୁତାବକ, ହରଜୀତ୍ କୌରଙ୍କୁ ହାତକଡ଼ି ଓ ବେଡ଼ିରେ ବାନ୍ଧି ଭାରତ ପଠାଇଦିଆଯାଇଛି । ସବୁଠୁ ପରିତାପର ବିଷୟ ତାଙ୍କୁ ଭାରତ ପଠାଯିବା ଆଗରୁ ତାଙ୍କ  ପରିବାର ଲୋକଙ୍କ ସହ ଦେଖା କରିବାକୁ ଦିଆଯାଇନଥିଲା।   ଦୁଇ ପୁଅ ଯେତେ ନେହୁରା ହୋଇଥିଲେ ବି ଅଧିକାରୀମାନେ କିଛି ବି ଶୁଣିନଥିଲେ । ପ୍ରଥମେ ତାଙ୍କୁ ଗିରଫ କରି ଲସ୍ ଆଞ୍ଜେଲ୍ସରୁ ଜର୍ଜିଆ ନିଆଯାଇଥିଲା  । ସେଠାରେ ତାଙ୍କୁ  ୱେକର୍ସଫିଲ୍ଡ ଡିଟେନସନ୍ ସେଣ୍ଟରରେ ପାଖାପାଖି ୭୦- ଘଣ୍ଟା ଅଟକ ରଖାଯାଇଥିଲା । ସେଠାରେ ସେ ତଳେ ଶୋଇବାକୁ ବାଧ୍ୟ ହୋଇଥିଲେ  ।  ନିକଟରେ ତାଙ୍କ ଆଣ୍ଠୁ ଅପରେସନ୍ ହୋଇଥିବାରୁ ଅନେକ ଯନ୍ତ୍ରଣା ବି ପାଇଥିଲେ । ସେଠାରୁ ତାଙ୍କ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ଦିଲ୍ଲୀ ଯାଉଥିବା ବିମାନରେ ବସାଇ ଭାରତ ପଠାଇଦେଇଥିଲେ । ତା ପୂର୍ବରୁ ସେ ଦୁଇ ପୁଅଙ୍କୁ ଭେଟିବାକୁ ଯେତେ କହିଥିଲେ ବି କେହି ଶୁଣିନଥିଲେ । ଏହାକୁ ନେଇ ଆମେରିକାରେ ରହୁଥିବା ଶିଖ୍ ସମ୍ପ୍ରଦାୟ ବିକ୍ଷୋଭ କରିଥିଲେ ବି କିଛି ଲାଭ ହୋଇନଥିଲା । 

୧୯୯୨ରେ ଦୁଇ ପୁଅଙ୍କ ସହ ଆମେରିକା ଯାଇଥିଲେ ହରଜୀତ୍ । ତାଙ୍କର   (ASYLUM CASE) ୨୦୧୨ରେ ଶେଷ ହୋଇଯାଇଥିଲା । ଏହା ଏକ ଆଇନଗତ ପ୍ରକିୟା ଯାହାଦ୍ବାରା ଜଣେ ଅନ୍ୟ ଦେଶରେ ଶରଣ ନେଇ ରହିପାରିବେ । ତେଣୁ ସେ ନିୟମିତ ଭାବେ ପ୍ରତି ୬ ମାସରେ ଯାଇ  ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟ ଅଫିସରେ ହାଜିରା ଦେଉଥିଲେ  ।  ଅଧକାରୀମାନେ ତାଙ୍କୁ ବିଶ୍ବାସ ଦେଇ କହିଥିଲେ, ଦସ୍ତାବିଜ୍ ନମିଳିବା ଯାଏଁ ସେ ଆମେରିକାରେ ସୁରକ୍ଷିତ ରହିପାରିବେ । କିନ୍ତୁ ଟ୍ରମ୍ପ ସରକାର କିଛି ଶୁଣିଲେନି । ତାଙ୍କୁ ଭାରତ ଡିପୋର୍ଟ କରିଦେଲେ ତା ପୁଣି ଅତି ହିଂସ୍ର ଢଙ୍ଗରେ । କେବଳ ହରଜୀତ୍ ନୁହଁନ୍ତି ଆମେରିକାରେ ରହୁଥିବା ପ୍ରବାସୀଙ୍କ ପାଇଁ କଠୋର ହୋଇପଡ଼ିଛନ୍ତି ଟ୍ରମ୍ପ , ଯାହାକୁ ନେଇ ବିଶ୍ବ ସ୍ତରରେ ଉଠୁଛି ବିରୋଧର ସ୍ବର । ଆମେରିକାର ଲୋକେ ବି କଲେଣି ଟ୍ରମ୍ପଙ୍କୁ ବିରୋଧ ।