କନକବ୍ୟୁରୋ: ଶେଷ ହେବ ରୁଷିଆ – ୟୁକ୍ରେନ୍ ଯୁଦ୍ଧ। ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଜାରି ରହିଥିବା ଯୁଦ୍ଧ ଶେଷ କରିବାକୁ ମଧ୍ୟସ୍ଥତା କରିବ ଭାରତ । ଏନେଇ ଆସନ୍ତା ସପ୍ତାହରେ ରୁଷିଆ ରାଜଧାନୀ ମସ୍କୋ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। କ୍ରେମଲିନରେ ବସି ଯୁଦ୍ଧ ଶେଷ କରିବା ଦିଗରେ କରିବେ ଆଲୋଚନା। ରୁଷିଆ ପରେ ୟୁକ୍ରେନ୍ ରାଜଧାନୀ କିଭ ମଧ୍ୟ ଗସ୍ତ କରିପାରନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା। ଅଢେଇ ବର୍ଷର ଯୁଦ୍ଧକୁ ଶେଷ କରିବାକୁ ବଡ଼ ଭୂମିକା ଗ୍ରହଣ କରିବ ଭାରତ। ଆଲୋଚନା ସଫଳ ହେଲେ ଆସନ୍ତା ନଭେମ୍ୱର ମାସରୁ ରୁଷିଆ – ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧର ଅନ୍ତଃ ହୋଇପାରେ।

Advertisment

ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ରୁଷିଆ କାଜାନରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଏନ୍‌ଏସ୍‌ଏ ସମ୍ମିଳନୀ। ଯେଉଁଥିରେ ବ୍ରିକ୍ସ ସଦସ୍ୟ ଥିବା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାଗନେବେ। ହେଲେ ଏହ ପୂର୍ବରୁ ରୁଷିଆ – ୟୁକ୍ରେନ ଯୁଦ୍ଧ ଶେଷ କରିବା ନେଇ ମଧ୍ୟ ଆଲୋଚନା କରି ପାରନ୍ତି।

ସେପଟେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍ ଗସ୍ତ ସାରି ଫେରିବା ପରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଏଥିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ଦିଗରେ ପୁଟିନ୍‌ଙ୍କ ସହ ଆଲୋଚନା କରିଥିଲେ ମୋଦୀ। ଏହା ପରେ ରାଷ୍ଟ୍ରପତି ପୁଟିନ୍ ନିଜ ଆଡୁ ମନ୍ତବ୍ୟ ଦେଇ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଥିଲେ। ପୁଟିନ୍ କହିଲେ ଭାରତ, ଚୀନ କି ବ୍ରାଜିଲ ମଧ୍ୟସ୍ଥତା କଲେ ୟୁକ୍ରେନ- ରୁଷିଆ ମଧ୍ୟରେ ଯୁଦ୍ଧ ଶେଷ ହୋଇ ପାରିବ।