କନକ ବ୍ୟୁରୋ : ଗ୍ରୀଷ୍ମ ନଆସୁଣୁ ଆରମ୍ଭ ହେଲାଣି ଜଳକଷ୍ଟ । ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର କିଛି ଦୂରରେ ଧଙ୍ଗେର୍ ପଞ୍ଚାୟତ । ଏହି ଗାଁରେ ୨ ଟି ନଳକୂପ ଥିବା ବେଳେ ୫ ହଜାରରୁ ଅଧିକ ଲୋକ ଏହା ଉପରେ ନିର୍ଭରଶିଳ । ପାଣି ପାଇଁ ଏଠାରେ ନିଇତି ଠେଲାପେଲା । ଏହି ସମସ୍ୟା ଦିନେ କି ଦୁଇ ଦିନର ନୁହେଁ ଏହା ଦୀଘଦିନର । ଖରା ବଢ଼ିବା ସହ ଭୁତଳ ଜଳସ୍ତର ହ୍ରାସ ପାଇଥାଏ । ନଳକୂଅରୁ ମଧ୍ୟ ପାଣି ବାହାରେ ନାହିଁ । ଦୀର୍ଘ ବର୍ଷ ହେଲା ଏହି ସମସ୍ୟାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।
ପାନୀୟଜଳ ଯୋଗାଣ ପାଇଁ ଓଭର ହେଡ୍ ଟ୍ୟାଙ୍କ ରହିଛି । ଘରେ ଘରେ ଟ୍ୟାପ ପଏଣ୍ଟ ମଧ୍ୟ ଦିଆଯାଇଛି । ହେଲେ ଭୂତଳ ଜଳ ସମସ୍ୟା ପାଇଁ ତାହା କାର୍ୟ୍ୟକ୍ଷମ ହୋଇ ପାରୁନାହିଁ। ଫଳରେ ଗାଁ ଲୋକମାନେ ଏବେଠାରୁ ଜଳକଷ୍ଟ ଭୋଗୁଛନ୍ତି । ଅନ୍ୟପଟେ ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ରାତି ପାହିଲେ ଗାଁରେ ଥିବା ଦୁଇଟି ନଳକୂପ ଆଗରେ ମହିଳାଙ୍କ ପ୍ରବଳ ଭିଡ଼ ଲାଗି ରୁହେ । କାମ ଧନ୍ଦା ଛାଡ଼ି ପାଣି ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ଧରି ଛିଡ଼ା ହେବାକୁ ପଡ଼ିଥାଏ । ବାରମ୍ବାର ଅଭିଯୋଗ କଲେ ବି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି ।