କନକ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବଡ଼ଗଡ଼ିଆ ଗାଁର ରଣଜିତ୍ ବେହେରା । ପାଠପଢା ସାରିବା ପରେ ଚାକିରି କରିବା ପାଇଁ ଆଶା ଥିଲେ ବି ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ । ଏପରିକି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ । ହେଲେ ଘରେ ବୃଦ୍ଧ ବାପା-ମା’ ଓ ପରିବାର ଛାଡ଼ି ବାହାରେ ରହିବା ସମ୍ଭବ ହୋଇନଥିଲା । ତେଣୁ ଗାଁରେ କିଛି ବ୍ୟବସାୟ କରିବା ପାଇଁ ଚିନ୍ତା କରି ଆରମ୍ଭ କରିଥିଲେ ମୁଢ଼ି ବ୍ୟବସାୟ । ନିଜ ପରିବାର ପାଖରେ ରହିବା ସହିତ ମୁଢ଼ି ଭଜା ମେସିନ୍ ବସାଇ ଏବେ ମାସକୁ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ରଣଜିତ୍ ।
ଉତ୍ତର ଓଡ଼ିଶା ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ମୁଢ଼ି । ସକାଳ ହେଉ ଅବା ସଞ୍ଜ ସବୁବେଳେ ମୁଢ଼ି ଖାଇବାକୁ ପସନ୍ଦ କରନ୍ତି ଲୋକେ । ବଜାରରେ ଏହାର ଚାହିଦା ମଧ୍ୟ ରହିଛି । ବ୍ୟବସାୟ ମଧ୍ୟ ବେଶ ଭଲ ଚାଲିଛି । ଚାଷବାସ ଓ ପରିବାର କଥା ବୁଝିବା ସହ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସେ ମୁଢ଼ି ମେସିନ୍ରେ କାମ କରନ୍ତି । ଏହି କାମରେ ତାଙ୍କ ବାପା ଓ ସ୍ତ୍ରୀ ସହଯୋଗ କରନ୍ତି । ଘରର ସମସ୍ତ କଥା ବୁଝିବା ସହିତ ଭଲ ରୋଜଗାର କରୁଥିବାରୁ ବେଶ ଖୁସି ଅଛନ୍ତି । ତାଙ୍କ ମେସିନକୁ ଝିଞ୍ଜିପୁରା, ବରୁଣଗଡ଼ିଆ, ବଡ଼ଗଡ଼ିଆ, ମୁଣ୍ଡିମାରି, ମହିସାମାରୀ, ଗୁଣ୍ଡରିମରା, ଡୁବୁଳିଆ, ଅମର୍ଦ୍ଦା, କୁଣ୍ଡୁପୁର, ନାଇକୁଡ଼ି ଗାଁରୁ ଲୋକମାନେ ମୁଢ଼ି ଭାଜିବା ପାଇଁ ଆସନ୍ତି । ଦୈନିକ ୩ ରୁ ୪ କୁଇଣ୍ଟାଲ ମୁଢ଼ି ଭଜା ହୁଏ । ଏଥିପାଇଁ ତାଙ୍କୁ ୬ ରୁ ୭ ଘଣ୍ଟା ସମୟ ଲାଗିଥାଏ । ୧ କୁଇଣ୍ଟାଲ ମୁଢ଼ି ଭାଜିବା ପାଇଁ ୪୫୦ ଶହରୁ ୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ମିଳିଥାଏ ୮ ଶହ ଟଙ୍କା ।