କନକବ୍ୟୁରୋ : ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୩୦ଟି କାର୍ଯ୍ୟ ଦିବସ ରହିବ। ତେବେ ଏଥର ବେଶ ସରଗରମ ହେବ ଗୃହ ।
ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ । ଆମ୍ୱଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ, ଆଦାନୀର ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବ ବିଜେଡି ।
ସେହିପରି ଧାନ ମଣ୍ଡି ସମସ୍ୟା, ଦର ଦାମ ବୃଦ୍ଧି, ବେରୋଜଗାର, ସୁଭଦ୍ରା ଯୋଜନାରେ ପାତର ଅନ୍ତର ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରିଚନ୍ତି ବାଚସ୍ପତି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ଚଳିତ ଶୀତ ଅଧିବେଶନରେ ଗୁରୁତ୍ୱପୂଣ୍ଣ ବିଲ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।