କନକ ବ୍ୟୁରୋ : ଚଳିତବର୍ଷ ଥରହର କରିବ ହାଡ଼ଭଙ୍ଗା ଶୀତ । କୋହଲା ପବନ ଜାଡ଼କୁ ଆହୁରି ବଳ ଦେବ । ଆଗୁଆ ଶୀତ ଆସିବା ଭିତରେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଭୟଙ୍କର ଶୀତର ଆଭାସ ଦେଇଛି ।
ଶୀତ ଏଥର ତାର ପ୍ରକୋପ ଦେଖାଇବ । ଥରାଇବ, ଜଡ଼ସଡ଼ କରିବ । ଯାହାର ସଂକେତ ଏବେଠୁ ମିଳିଲାଣି । ପୂର୍ବପେକ୍ଷା ଏଥର ଆଗୁଆ ମାଡ଼ି ଆସୁଛି ଶୀତ । ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଏବେ ସ୍ପର୍ଶ କରିଛି ଶୀତ । ସାଧାରଣତଃ ଦୀପାବଳି ପରେ ଦିଲ୍ଲୀକୁ ଶୀତ ଆସୁଥିବା ବେଳେ, ଏବର୍ଷ ଏହାର ବହୁ ପୂର୍ବରୁ ଅଚାନକ ତାପମାତ୍ରା ଖସିଛି । ଦିଲ୍ଲୀରେ ଶୁକ୍ରବାର ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୨୦ ଡିଗ୍ରି ତଳକୁ ଖସିଥିଲା । ଗତକାଲି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୯.୬ ଡିଗ୍ରି ଥିଲା, ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ତଳେ ରହିଛି ।
ଅନ୍ୟପଟେ ହିମାଳୟ ଶିଖରଗୁଡ଼ିକୁ ବରଫ ଚାଦର ଘୋଡ଼ାଇଲାଣି । ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀରରେ ଆଗୁଆ ଅଧିକ ତୁଷାରପାତ ଦେଖିବାକୁ ମିଳିଲାଣି । ଲା ନିନା ପ୍ରଭାବରେ ଓଡ଼ିଶାରେ ବି ଭୀଷଣ ଜାଡ଼ ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଉଛି ।
ସେପଟେ ଆଗୁଆ ଶୀତ ଆସୁଥିବା ବେଳେ ଓଡ଼ିଶା ଛାଡୁଛି ମୌସୁମୀ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓଡ଼ିଶା ଜିଲ୍ଲା କେନ୍ଦୁଝରରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବା ନେଇ ପାଗ ଅନୁକୂଳ ରହିଛି । ଏବେ ମୌସୁମୀ ବାୟୁର ପ୍ରତ୍ୟାହାର ରେଖା ବାରାଣସୀ, ଜବଲପୁର, ଆକୋଲା, ଅହଲ୍ୟାନଗର, ଆଲିବାଗ ଦେଇ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍, ତେଲେଙ୍ଗାନାର କିଛି ଅଞ୍ଚଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ଅବଶିଷ୍ଟ ଅଂଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ । କେବଳ ପ୍ରବଳ ଶୀତ କି ଥଣ୍ଡା ନୁହେଁ ଏଥର କଲବଲ କରିବ କାଲୁଆ ପବନ ।