କନକ ବ୍ୟୁରୋ : ନିଜ ନାଁର ଅର୍ଥ ଖୋଜୁ ଖୋଜୁ ପାଇଗଲେ ଜୀବନର ଲକ୍ଷ୍ୟ
କ୍ୟାଡେଟରୁ ବନିଲେ କମାଣ୍ଡର,
ବନିଲେ ବାୟୁକନ୍ୟା ବ୍ୟୋମିକା
ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ବାୟୁସେନା ।ଆଉ ତା ପରେ ଆରମ୍ଭ ହୋଇଗଲା ଆକ୍ରମଣ ପ୍ରତିଆକ୍ରମଣ । ଭାରତ- ପାକିସ୍ତାନ ସୀମାରେ ଗର୍ଜୁଥିଲା ଗୁଳିଗୋଳା, ମାଡ ହେଉଥିଲା ମୋର୍ଟାର , ଡ୍ରୋନ୍। ୟା ଭିତରେ ଏସବୁର ତଥ୍ୟ ସାରା ଦେଶକୁ ଜଣାଇବାକୁ ଗଣମାଧ୍ୟମ ସାମ୍ନାକୁ ଆସିଲେ ଦୁଇ ସାହସୀ ମହିଳା । ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ଦୁଇପଟେ ବସିଥିଲେ ସେନା ପୋଷାକ ପିନ୍ଧିଥିବା ଦୁଇ ଦୁର୍ଦ୍ଧର୍ଷ ମହିଳା, ଯାହାଙ୍କ ଉପରେ ଥିଲା ସାରା ଦେଶର ଆଖି । ଏଇ ପ୍ରେସ୍ ମିଟରୁ ବନିଗଲେ ଚର୍ଚ୍ଚିତ ଚେହେରା ।
'ଆମେ ନିଜ ସୀମାରେ ଅଛୁ । କେବଳ ଆତଙ୍କୀଙ୍କୁ ନିପାତ କରିଛୁ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛୁ । ନା ନାଗରିକଙ୍କ କ୍ଷତି କରିଛୁ ନା ପାକ୍ ସେନାକୁ ଟାର୍ଗେଟ କରିଛୁ। ବେଶ୍ ଭାବିଚିନ୍ତି ସତର୍କତାର ସହ ଜବାବ ଦେଉଛୁ ତଥାପି ଯଦି ପାକିସ୍ତାନ ନସୁଧୁରେ ତା’ର କଡା ଜବାବ ଦେବାକୁ ଆମେ ପୂରା ପ୍ରସ୍ତୁତ ’; ପାକିସ୍ତାନକୁ ଆଇନା ଦେଖାଇ ଏଭଳି ଚେତାବନୀ ଦେଇଥିବା ମହିଳା ବାୟୁସେନା ଅଧିକାରୀ ଥିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ଆର୍ମି କର୍ଣ୍ଣେଲ ସୋଫିଆ କ୍ୟୁରେସି ’ଅପରେସନ୍ ସିନ୍ଦୂର’ ଟିକିନିଖି ତଥ୍ୟ ହିନ୍ଦୀରେ ଦେଉଥିବାବେଳେ ବ୍ୟୋମିକା ଏହାକୁ ଇଂରାଜୀରେ କହୁଥିଲେ । ତାଙ୍କର ଏଇ ପ୍ରେଜେଣ୍ଟେସନ୍ ତାଙ୍କୁ ସମସ୍ତଙ୍କ ପ୍ରିୟପାତ୍ର କରିଦେଇଛି । ଆଉ ତା’ ପରେ ଛୁଟୁଛି ବ୍ୟୋମିକାଙ୍କ ବାପା, ମା’ଙ୍କ ପାଖକୁ ଶୁଭେଚ୍ଛାର ସୁଅ । ଝିଅର ଏଭଳି ପ୍ରତିଭା ଓ ପ୍ରଶଂସାକୁ ନେଇ ବାପା, ମା’ ବଖାଣିଛନ୍ତି ବ୍ୟୋମିକାଙ୍କର କିଛି ନିଆରା ସ୍ମୃତି । କହିଛନ୍ତି କେମିତି ଝିଅ ହେଲା ବ୍ୟୋମିକାରୁ ବାୟୁକନ୍ୟା…
ବ୍ୟୋମିକାଙ୍କ ଘରେ ଏବେ ଗଣମାଧ୍ୟମ ପ୍ରତିନିଧିଙ୍କ ଲମ୍ବା ଲାଇନ୍ । ତେବେ କିଛି ପ୍ରଶ୍ନର ଉତ୍ତରରେ ବ୍ୟୋମିକାଙ୍କ ମା ’ କରୁଣା ସିଂହ କୁହନ୍ତି, ପିଲାବେଳେ ସମସ୍ତେ ତାଙ୍କୁ କାକୁ ବୋଲି ଡାକନ୍ତି। ଖୁବ ଚୁଲବୁଲା ଆଉ ହୁସିଆର ଥିଲେ । ଅନ୍ୟ ପିଲାଙ୍କ ଠାରୁ ଟିକେ ଭିନ୍ନ ଥିଲେ। ଅଧିକାଂଶ ସମୟରେ ତାଙ୍କ ଠାରେ ପୁଅ ପିଲାଙ୍କ ଭଳି ବ୍ୟବହାର ଦେଖିବାକୁ ମିଳୁଥିଲା। ବାରଣ କରୁଥିଲେ କହୁଥିଲେ, ପୁଅ ଝିଅଙ୍କ ଭିତରେ ପୁଣି ଫରକ୍ କ’ଣ ଯେ?
ପଢାଠାରୁ ଆରମ୍ଭ କରି ଖେଳକୁଦ ସବୁଥିରେ ଆଗୁଆ ଥିଲେ ବ୍ୟୋମିକା । ସବୁ ଖେଳରେ ପୁଅଙ୍କ ସହ ଭାଗ ନେଉଥିଲେ । ଥରେ ୨୦ ହଜାର ଟଙ୍କାର ପୁରସ୍କାର ଆଣିବାରୁ ମା’ , ଓ ବାପା ଭାରି ଖୁସି ହୋଇଯାଇଥିଲେ । ବ୍ୟୋମିକାଙ୍କ ପ୍ରତିଟି ଟ୍ରଫି ଆଉ ମେଡାଲକୁ ସାଇତି ରଖୁଥିଲେ ମା’ ରେଣୁକା । ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ଥରେ କ୍ଲାସରେ ଶିକ୍ଷକ ସମସ୍ତଙ୍କୁ ସେମାନଙ୍କ ନାଁର ଅର୍ଥ ପଚାରିଥିଲେ । ବ୍ୟୋମିକାଙ୍କୁ ଶିକ୍ଷକ ତାଙ୍କ ନାଁର ଅର୍ଥ ବୁଝାଇ କହିଲେ, ଯିଏ ଆକାଶକୁ ନିଜ ହାତ ମୁଠାରେ ରଖେ ସେ ହେଉଛି ବ୍ୟୋମିକା । ବାସ୍ ଏଇ ପଦକ କଥା କୁନି ଝିଅକୁ ଦେଲା ଜୀବନର ଲକ୍ଷ୍ୟ । ଆକାଶରେ ଉଡିବାର ଇଚ୍ଛା ତାଙ୍କର ସ୍ବପ୍ନରେ ବଦଳିଲା, ଯାହାକୁ ସାକାର କରିବାକୁ ଲାଗିଲେ ବ୍ୟୋମିକା ।
ନିଜ ଇଚ୍ଛାକୁ କେବେ ମା’ଙ୍କ ଜଣାଇନଥିଲେ ବ୍ୟୋମିକା । ଆଶଙ୍କା ଥିଲା କାଳେ ମା’ ମନା କରିଦେବେ । ସ୍କୁଲ ସମୟରୁ ହିଁ ସ୍ବପ୍ନ ପୂରଣ କରିବା ଆରମ୍ଭ କରିଦେଲେ । ଏନସିସିରେ କ୍ୟାଡେଟ୍ ଭାବେ ଯୋଗ ଦେଲେ । ସ୍କୁଲ ପଢା ଶେଷ ପରେ ମେକାନିକାଲ ଇଞ୍ଜିନିୟରିଙ୍ଗ ପଢିଲେ । କ୍ରମେ ୨୦୦୪ ଡିସେମ୍ବର ୪ରେ ବାୟୁସେନାରେ ତାଙ୍କର ଚୟନ ହେଲା । ଏକଥା ଶୁଣି ମା’ ରେଣୁକା ବିଶ୍ବାସ କରିପାରିନଥିଲେ । ଝିଅର ଏଭଳି ସଫଳତାରେ ସେ ଆତ୍ମହରା ହୋଇପଡିଥିଲେ ଏବଂ ଝିଅର ସାହସକୁ ସାଉଁଟିଥିଲେ । ଜଣେ ଦକ୍ଷ ପାଇଲଟ୍ ଭାବେ ଚେତକ ଓ ଚିତା ପରି ଲଢୁଆ ହେଲିକପ୍ଟରକୁ ୨୫ଶହ ଘଣ୍ଟା ଉଡାଇବାର ରେକର୍ଡ କରିଛନ୍ତି ବ୍ୟୋମିକା । ୨୦୧୭ ଡିସେମ୍ବର ୧୮ ରେ ବ୍ୟୋମିକାଙ୍କୁ ମିଳିଲା ୱିଙ୍ଗ କମାଣ୍ଡର ପଦ । ଏହାପରେ ସେ ଅନେକ ଚ୍ୟାଲେଞ୍ଜିଙ୍ଗ ଅଭିଯାନରେ ସାମିଲ ହୋଇଛନ୍ତି ଏହାସହ ୨୦୨୧ରେ ମାଉଣ୍ଟ ମଣିରଙ୍ଗର ୨୧ ହଜାର ୬୫୦ ଫୁଟ ଉଚ୍ଚତାକୁ ଚଢିବାର ରେକର୍ଡ ସ୍ଥାପନ କରିଛନ୍ତି ବ୍ୟୋମିକା।
ମେ ୭ ତାରିଖରେ ପାକିସ୍ତାନ ବିରୋଧରେ ’ଅପରେସନ୍ ସିନ୍ଦୂର’ରେ ପ୍ରେସ୍ ବ୍ରିଫ୍ ଦେଇ ବ୍ୟୋମିକା ବନିଗଲେ ଦେଶର ସବୁଠୁ ଚର୍ଚ୍ଚିତ ଚେହେରା । ଏବେ ତାଙ୍କୁ ନେଇ ଗଣମାଧ୍ୟମରେ ଅନେକ ଖବର । ପ୍ରକୃତରେ ବ୍ୟୋମିକାଙ୍କ କାହାଣୀ ଜାଣିବା ପରେ ମନେହୁଏ ଲକ୍ଷ୍ୟ ସ୍ଥିର ଓ ବିଶ୍ବାସ ଦୃଢ ଥିଲେ ଅସାଧ୍ୟ ବି ସାଧ୍ୟ ହେବାକୁ ବାଧ୍ୟ ହୁଏ।