କନକ ବ୍ୟୁରୋ: ବାତ୍ୟା ଦାନା ଉପକୂଳ ନିକଟବର୍ତ୍ତୀ ହେବା ପରେ ଅନୁଭୂତ ହେଲାଣି ପ୍ରଭାବ। ଆକାଶରେ କଳା ବାଦଲ ବୁଲିବା ସହ ପାଗ ମେଘୁଆ ହୋଇଛି। ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। 

Advertisment

ଦାନା ଉପକୂଳ ଆଡକୁ ମାଡି ଆସୁଥିବାବେଳେ ଏହାର ପ୍ରଭାବ ସ୍ଥଳଭାଗରେ ଅନୁଭୂତ ହେଲାଣି। ଉପକୂଳବର୍ତ୍ତୀ ଜିଲ୍ଲା ଆକାଶରେ ବାଦଲ ଖଣ୍ଡ ଭାସିବା ସହ ପାଗ ମେଘୁଆ ହୋଇଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଳାରେ ବର୍ଷା ଆରମ୍ଭ ହୋଇ ଯାଇଛି। 

ଭୀଷଣ ବାତ୍ୟା ଦାନା ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲେ ବି ଗୁରୁବାର ଓ ଶୁକ୍ରବାର ଅଧାରୁ ଅଧିକ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

୨୪ତାରିଖ ରେ ଅଧାରୁ ଅଧିକ ଓଡିଶା ଭିଜିବ। ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ନୟାଗଡ଼, ଖୋର୍ଦ୍ଧା, ପୁରୀ,  ଢ଼େଙ୍କାନାଳ କେନ୍ଦୁଝର ରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। 

୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏହି ଚାରି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ସେହିପରି ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। 

ଆସୁଥିବା ଭୀଷଣ ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ। ୨୪ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଘଂଟା ପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହିବ। ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ପବନ ବହିବ। କଟକ, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ୬୦ ରୁ ୯୦ କିମି ବେଗରେ ପବନ ବହିବ। 

କେନ୍ଦୁଝର, ପୁରୀ, ଖୋର୍ଦ୍ଧାରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ସୁନ୍ଦରଗଡରେ ୫୦ ରୁ ୭୦ କିମି, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ନୟାଗଡ, ଗଞ୍ଜାମରେ ୪୦ ରୁ ୬୦ କିମି ବେଗରେ ପବନ ବହିବ। 

ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ବିଭିନ୍ନ ଜିଲ୍ଳାରେ ପହଁଚିଛନ୍ତି।