କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି । ଏହି ସମୟ ମଧ୍ୟରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ୩ଟି ଟେଷ୍ଟ ସମାପ୍ତ ହୋଇଛି ଏବଂ ଭାରତୀୟ ଦଳ କେବଳ ୧ଟି ମ୍ୟାଚ୍ ଜିତିଛି । ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ୨୨ ରନର ନିକଟତମ ବ୍ୟବଧାନରେ ପରାସ୍ତ ହୋଇଛି । ଏହି ପରାଜୟ ପରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନର ଦାବି ଜୋର ଧରିଛି ।
କାରଣ ଚାପ ସମୟରେ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ହିଁ ସଙ୍କଟ ମୋଚକ ସାଜନ୍ତି । ଆଉ ଏମିତି ଅନେକ ମ୍ୟାଚରୁ ଭାରତକୁ ସେ ବିଜୟୀ କରାଇଛନ୍ତି ।
ଅବସରରୁ ଫେରିବା ବିଷୟରେ ଚିନ୍ତା କରିବା ଉଚିତ
ପୂର୍ବତନ ଭାରତୀୟ ଅଲରାଉଣ୍ଡର ଏବଂ ୧୯୮୩ ବିଶ୍ୱକପ୍ ହିରୋ ମଦନ ଲାଲ ବିରାଟ କୋହଲିଙ୍କୁ ତାଙ୍କର ଅବସରର ପୁନର୍ବିଚାର କରି ଟେଷ୍ଟ କ୍ରିକେଟକୁ ଫେରିବାକୁ ଅନୁରୋଧ କରିଛନ୍ତି । ସମ୍ପ୍ରତି ବିରାଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଟେଷ୍ଟରୁ ଅବସର ନେଇଛନ୍ତି । କୋହଲି ଟେଷ୍ଟରେ ୧୦,୦୦୦ ରନ କରିବା ନିକଟରେ ପହଞ୍ଚିଥିଲେ । ମଦନ ଲାଲ ବିଶ୍ୱାସ କରନ୍ତି ଯେ ବିରାଟଙ୍କ ପାଖରେ ଏବେ ବି ବହୁତ ସମ୍ଭାବନା ଅଛି । ଅବସର ପରେ ସେ ଟେଷ୍ଟ କ୍ରିକେଟକୁ ଫେରିବା ଉଚିତ ।
କ୍ରିକେଟ ପ୍ରେଡିକ୍ଟାରେ ମଦନ ଲାଲ କହିଛନ୍ତି, "ଭାରତୀୟ କ୍ରିକେଟ୍ ପ୍ରତି ବିରାଟ କୋହଲିଙ୍କ ଆଗ୍ରହ ଅତୁଳନୀୟ ଥିଲା । ମୁଁ କାମନା କରୁଛି ଯେ ସେ ଅବସର ପରେ ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ । ଫେରିବାରେ କୌଣସି କ୍ଷତି ନାହିଁ । ଯଦି ଏହି ସିରିଜରେ ନୁହେଁ, ତେବେ ସେ ପରବର୍ତ୍ତୀ ସିରିଜରେ ଫେରିବା ଉଚିତ ।" ସେ ଆହୁରି ମଧ୍ୟ କହିଛନ୍ତି, "ତାଙ୍କର ଶକ୍ତି, ଅଭିଜ୍ଞତା ଏବଂ ପ୍ରଭାବ ଅମୂଲ୍ୟ । ଏହି ଗୁଣଗୁଡ଼ିକ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦିଏ ଏବଂ ଦଳକୁ ଚାପରେ ସ୍ଥିର ରହିବାରେ ସାହାଯ୍ୟ କରେ ।"
ବିରାଟଙ୍କ ଟେଷ୍ଟ କ୍ୟାରିୟର
ବିରାଟ କୋହଲି ଜୁନ୍ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ, ସେ ୨୧୦ଟି ଇନିଂସରେ ୪୬.୮୫ ହାରରେ ଏବଂ ୫୫.୫୭ ଷ୍ଟ୍ରାଇକ୍ ରେଟ୍ ସହିତ ୯୨୩୦ ରନ୍ କରିଥିଲେ । ବିରାଟ କୋହଲି ଟେଷ୍ଟରେ ୩୧ଟି ଅର୍ଦ୍ଧଶତକ ସହିତ ୩୦ଟି ଶତକ ହାସଲ କରିଛନ୍ତି । ଟେଷ୍ଟରେ ବିରାଟ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୨୫୪ ରନ୍ ।
ଟେଷ୍ଟ ବ୍ୟତୀତ, ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ଫର୍ମାଟକୁ ମଧ୍ୟ ଅଲବିଦା କହିସାରିଛନ୍ତି । ସେ ଏବେ କେବଳ ଦିନିକିଆ ଖେଳୁଥିବାର ଦେଖାଯାଉଛି ।