ପୁରୀରେ ପଡିବ କି ଭକ୍ତଙ୍କ ପଦଯାତ୍ରାର ପ୍ରଭାବ? ଗଡ ସଜାଡିବାରେ ପୁର କଂଗ୍ରେସର ପ୍ରୟାସ

ଗଡ଼ ସଜାଡ଼ିବାକୁ ପୁରୀ କଂଗ୍ରେସର ପ୍ରୟାସ ଆରମ୍ଭ ।  ଭକ୍ତଙ୍କ ସଂକଳ୍ପ ପଦଯାତ୍ରା ପରେ ବଢିଲା ଚର୍ଚ୍ଚା ।  ଦଳର ପୁରୀ ସଂଗଠନରେ ପଡିବ କି ପ୍ରଭାବ । 

odisha congress+

odisha congress+ Photograph: (kanakNews)

କନକ ବ୍ୟୁରୋ:  ରାଜ୍ୟରେ କଂଗ୍ରେସକୁ ପୁଣି କ୍ଷମତାକୁ ଫେରାଇ ଆଣିବା ପାଇଁ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସଂକଳ୍ପ ନେଇଛନ୍ତି ନୂଆ ପିସିସି ସଭାପତି। ହେଲେ ଖୋଦ୍ ପୁରୀରେ ଭକ୍ତ ଦାସଙ୍କ ସଂକଳ୍ପ ଶୋଭାଯାତ୍ରାର କି ପ୍ରଭାବ ପଡ଼ିଛି? ପୁରୀରେ କଂଗ୍ରେସ ପୁଣି ସଂଗଠିତ ହେବ କି, ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି।

ଶ୍ରୀକ୍ଷେତ୍ର ପୁରୀରୁ କାମ ଆରମ୍ଭ କଲେ ଶୁଭ  ହେବା ବିଶ୍ୱାସରେ ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ ପଦଯାତ୍ରାରେ ଆସି ଗତକାଲି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ରାଜ୍ୟ ସହିତ ପୁରୀରେ କଂଗ୍ରେସ ପୁଣି ସଂଗଠନକୁ ମଜଭୁତ କରିପାରିବ କି? ୧୯୫୧ ପ୍ରଥମ ନିର୍ବାଚନରେ ପୁରୀରେ ସୋସିଆଲିଷ୍ଟ ପାର୍ଟି, ତା’ପରେ ୧୯୬୧, ୧୯୭୧, ୧୯୭୪ ଓ ୧୯୮୦ରେ ଶେଷଥର ପାଇଁ କଂଗ୍ରେସ ଜିତିଥିଲା। ତା’ପରଠାରୁ ପୁରୀରେ କଂଗ୍ରେସ ସତ୍ତା  ହରାଇଛି। ତେବେ ଗତକାଲିଠୁ ପୁଣି ସୁସଂଗଠିତ ହେଉଥିବା ଦଳୀୟ ନେତା ଦାବି କରିଛନ୍ତି।

ପୁରୀରେ ଗତକାଲି କଂଗ୍ରେସର ସଂକଳ୍ପ ପଦଯାତ୍ରାରୁ ବହୁ ପୁରୁଖା ନେତା ଦୂରେଇ ରହିଥିଲେ। ଏପରିକି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା। ଗୋଷ୍ଠୀ ବିବାଦ ଏହାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା କଂଗ୍ରେସ ରାଜନୀତିରେ ଏହା ଆଗାମୀ ଦିନରେ ବିସ୍ଫୋରଣର ରୂପ ନେଇପାରେ ।  କଂଗ୍ରେସ ଘର ସଜାଡୁଥିବା ବେଳେ  ଗତକାଲିର ଘଟଣାରୁ କି ସଂକେତ ମିଳୁଛି?

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ମିଳିବା ପରେ ଭକ୍ତ ଚରଣ ଦାସ   ସଂକଳ୍ପ ପଦଯାତ୍ରା କରି ଶକ୍ତି ପଦର୍ଶନ କରି ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି। ଦେଖିବାର କଥା ଦଳର ପୁରୀ ସଂଗଠନରେ ଏହାର କି ପ୍ରଭାବ ପଡୁଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe