କନକ ବ୍ୟୁରୋ: ରଣଜୀ ଟ୍ରଫି ଖେଳିବେ କି ବିରାଟ କୋହଲି ଓ ରୋହିତ ଶର୍ମା? ବର୍ଡର ଗାଭାସ୍କର ଟ୍ରଫି ହାରିବା ପରେ ଏବେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ୧-୩ରେ ସିରିଜ୍ ହାରିବା ପରେ ଦୁଇ ସିନିୟର ଖେଳାଳିଙ୍କ କ୍ୟାରିୟର ଏବେ ବିପଦରେ ପଡ଼ିଯାଇଛି । କାରଣ ଉଭୟ ପୂରା ସିରିଜରେ ଫ୍ଲପ ହୋଇଛନ୍ତି । ପର୍ଥ ଟେଷ୍ଟରେ ଶତକକୁ ଛାଡ଼ିଦେଲେ ବାକି ପୂରା ସିରିଜରେ ଫେଲ୍ ମାରିଛନ୍ତି କୋହଲି। ରୋହିତ ମଧ୍ୟ ୩ଟି ଟେଷ୍ଟରେ ମାତ୍ର ୩୧ ରନ୍ କରିବାକୁ ସକ୍ଷମ ହୋଇଛନ୍ତି ।
ତେଣୁ ଉଭୟ ଖେଳାଳି ଏବେ ଘରୋଇ କ୍ରିକେଟ୍ ଖେଳିବା ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଯଦିଓ ଗମ୍ଭୀର କାହା ନାଁ ନେଇନାହାନ୍ତି । କିନ୍ତୁ ଏତିକି କହିଛନ୍ତି ଯେ ସବୁ ଖେଳାଳି ଘରୋଇ କ୍ରିକେଟ୍ ଖେଳିବା ଦରକାର ।
ନାଲି ବଲ କ୍ରିକେଟରେ ପାରଦର୍ଶିତା ହାସଲ କରିବାକୁ ହେଲେ ଘରୋଇ କ୍ରିକେଟ୍ ଖେଳିବା ନିହାତି ଦରକାର । ଏଭଳି ନକଲେ, ଫଳାଫଳ ଉପରେ ଏହାର ପ୍ରଭାବ ପଡ଼ିବା ସୁନିଶ୍ଚିତ ବୋଲି ଗମ୍ଭୀର କରିଛନ୍ତି । ସେହିପରି କୋହଲି ଓ ରୋହିତଙ୍କ ସନ୍ନ୍ୟାସ ସମ୍ପର୍କିତ ପ୍ରଶ୍ନର ମଧ୍ୟ ଉତ୍ତର ରଖିଛନ୍ତି ଗମ୍ଭୀର । କହିଛନ୍ତି, ଅବସର ନେବେ କି ନନେବେ, ତାହା ଦୁହିଁଙ୍କ ବ୍ୟକ୍ତିଗତ ପ୍ରସଙ୍ଗ । କେବେବି କୌଣସି କ୍ରିକେଟରଙ୍କ ଭବିଷ୍ୟତ ଉପରେ ଟିପ୍ପଣୀ କରିବାକୁ ମନା କରିଛନ୍ତି ଗମ୍ଭୀର। ଉଭୟ କୋହଲି ଓ ରୋହିତଙ୍କ ପାଖରେ ପର୍ଯ୍ୟାପ୍ତ କ୍ରିକେଟ୍ ବାକି ଥିବା କଥା ମଧ୍ୟ କହିଛନ୍ତି ଗମ୍ଭୀର ।