କନକ ବ୍ୟୁରୋ: ବଳଙ୍ଗା ପୀଡିତା ଘଟଣାରେ ମୁଦି ଖୋଲିବ କି ଗୁମର ? କ୍ରାଇମ ସ୍ପଟ୍‌ରୁ ମିଳିଥିଲା ଏହି ମୁଦି । ବଳଙ୍ଗା ବଜାରର ଜନୈକ ସୁନା ଅଳଙ୍କାର ଦୋକାନୀକୁ ଉଠାଇଲା ବଳଙ୍ଗା ପୁଲିସ । ମୁଦିଟି ଏହି ଅଳଙ୍କାର ଦୋକାନରୁ କିଣାଯାଇଥିବା ସନ୍ଦେହ କରାଯାଉଛି । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୁଲିସର ହାତ ଖାଲି ରହିଛି । ପୀଡ଼ିତାଙ୍କ ସାଙ୍ଗ, ପଡ଼ୋଶୀ, ଅଳଙ୍କାର ଦୋକାନୀଙ୍କୁ ରାତି ତମାମ ଜେରା କରିଛି ପୁଲିସ । ଏପଟେ ଚର୍ଚ୍ଚାରେ ଦୁଃଖିଶ୍ୟାମ ସେନାପତି, ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଭିତରେ ଏବେ ଦୁଖୀ, ଦୁଃଖିଙ୍କ ଘର ସାମ୍ନାରେ ୨୪ ଘଣ୍ଟା କଡା ସୁରକ୍ଷା ଦେଉଛି ପୁଲିସ । ଏ ସେଇ ଦୁଃଖିଶ୍ୟାମ ଯିଏ ଦେବଦୂତ ଭଳି ସେଇ ପୋଡ଼ି ହୋଇଯାଇଥିବା ନାବାଳିକାଙ୍କୁ ପ୍ରଥମେ ଦେଖିଥିଲେ ନିଜ ଘରକୁ ନେଇ ସୁରକ୍ଷା ଦେଇଥିଲେ । ଏହି ଘଟଣା ପରେ ଦୁଃଖିଶ୍ୟାମଙ୍କୁ କିଛି ଦୁର୍ବୃତ୍ତ ଧମକ ଦେଇଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହୋଇଥିଲା ! ଏହାପରେ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।  

Advertisment

ଗତ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲାର ବଳଙ୍ଗାରେ ବର୍ବରକାଣ୍ଡ ଘଟାଇଥିଲେ କିଛି ଦୁର୍ବୃତ୍ତ । ଜଣେ ନାବାଳିକାଙ୍କୁ ସକାଳୁ ଉଠାଇ ନେଇଥିଲେ । ଏହାପରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । କୌଣସି ମତେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଗାଁ ମଝିରେ ପହଞ୍ଚିଥିଲେ ପୀଡ଼ିତା । ଏହି ସମୟରେ ଦୁଃଖିଶ୍ୟାମ ସେନାପତି ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ପୀଡ଼ିତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ବି ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।