କନକ ବ୍ୟୁରୋ: ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲି ଗଣତିମଣତି ହେବାକୁ ଯାଉଛି। ତେଣୁ ଭିତର ଭଣ୍ଡରରେ କେତେ ଅଳଙ୍କାର ରହିଛି, ତାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟ ଉତ୍କଣ୍ଠା। ୧୯୭୮ ମସିହାରେ ରତ୍ନ ଅଳଙ୍କାର ଗଣତି ପରେ ଯେଉଁ ତାଲିକା ହୋଇଥିଲା, ତାହା ସହ ନୂଆ ତାଲିକା ମେଳ ଖାଇବ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଚାବି ହଜିବା ଓ ଏତେଦିନ ଧରି ରତ୍ନଭଣ୍ଡାର ଖୋଲାନଯିବା ପ୍ରସଙ୍ଗ, ଏହାକୁ ଅଧିକ ସନ୍ଦିହାନ କରିଦେଇଛି।

ରତ୍ନଭଣ୍ଡାର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି କଥା ଅନେକ କିଛି ବୟାନ କରୁଛି । ପ୍ରତିଶ୍ରୃତି ମୁତାବକ  ସରକାରକୁ ଆସିବା ପରେ ବିଜେପି ଭିତର ରତ୍ନଭଣ୍ଡାର ଖୋଲିବାକୁ  ନିଷ୍ପତ୍ତି ନେଇଛି । ୪୬ ବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲାଯାଉଥିବାରୁ  କେତେ ରତ୍ନ ଅଛି ତାକୁ ଜାଣିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଉତ୍କଣ୍ଠା ବଢିଛି । ଏଭଳି ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରତ୍ନଗଣତି ହେବ  ଓ ନୂଆ ଗଣତି ସୂଚୀ ଓ ପୁରୁଣା ସୂଚୀର ମେଳ କରାଯିବ ।  ସବୁ ଠିକ ଅଛି ନା ନାହିଁ ସ୍ପଷ୍ଟ ହେବ । ଆଉ ଏହା ଭକ୍ତଙ୍କ ଉତ୍କଣ୍ଠାକୁ ଆହୁରି ବଢାଇଦେଇଛି ।

୧୯୭୮ ମସିହା ମେ ୧୩ରୁ ଜୁଲାଇ ୨୩ ଯାଏଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରର ଗଣତିମଣତି କରାଯାଇଥିଲା ।  ଏହି ତଥ୍ୟ ଅନୁସାରେ, ଭିତର ରତ୍ନଭଣ୍ଡାରରେ
ଭିତର ରତ୍ନଭଣ୍ଡାରର ଅଳଙ୍କାର ତାଲିକା-୧୯୭୮ 

୩୬୭ ପ୍ରକାରର ୪ ହଜାର ୩୬୪ ଭରିର ସ୍ୱର୍ଣ୍ଣାଳଙ୍କାର 
ମସ୍ତକରେ ଶୋଭାବର୍ଦ୍ଧନ କରୁଥିବା ୯୭ ପ୍ରକାର ଅଳଙ୍କାର
୧୨ ପ୍ରକାରର କୁଣ୍ଡଳ, ୨୦ ପ୍ରକାରର ନାକୁଆଶି
୧୬୦ ପ୍ରକାରର ଗଳାହାର, ୧୮ ପ୍ରକାରର ବାହୁଟି, ୧୫ ପ୍ରକାରର କଚଟି
୨ ପ୍ରକାରର ଅଙ୍ଗୁଠି ଅଳଙ୍କାର, ୫ ପ୍ରକାରର ଅଣ୍ଟାମାଳ, ୨ ପ୍ରକାରର ଶ୍ରୀପୟର
୩୬ ପ୍ରକାରର ଅନ୍ୟାନ୍ୟ ଅଳଙ୍କାର
୧୫ ହଜାର ଭରିର ୨୩୧ ପ୍ରକାରର ରୂପାସାମଗ୍ରୀ

ବର୍ତମାନ ଏଏସଆଇର ଭିତର ରତ୍ନଭଣ୍ଡାର ଯାଂଚ  ଓ ମରାମତି କରିବା ପରେ ଅଳଙ୍କାର ଓ  ବହୁମୂଲ୍ୟ ସାମଗ୍ରୀର ଗଣତିମଣତି ହେବ ।  ଭିତର ରତ୍ନଭଣ୍ଡାରର ଅଳଙ୍କାର ସୁରକ୍ଷିତ ଅଛି କି? ଏହାର ରହସ୍ୟ ଉନ୍ମୋଚନ ପାଇଁ ଜଗନ୍ନାଥପ୍ରେମୀ ଚାହିଁବସିଛନ୍ତି । ତେଣୁ ମରାମତି ଓ ଗଣତିମଣତି ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି ।