କନକ ବ୍ୟୁରୋ : କେନ୍ଦ୍ରରେ ବିଜେପି, ଛତିଶଗଡରେ ବିଜେପି, ଓଡିଶାରେ ବିଜେପି ।  ମହାନଦୀର ବିବାଦର ଭବିଷ୍ୟତ ଏବେ ଏହି ଟ୍ରିପଲ ଇଞ୍ଜିନ ସରକାରଙ୍କ ହାତରେ ।  ଶନିବାର ଦିନ ଲୋକସେବା ଭବନରେ ଛତିଶଗଡ -ଓଡିଶା ମୁଖ୍ୟମନ୍ତ୍ରୀ ମହାନଦୀ ବିବାଦର ସମାଧାନ ନେଇ ନୂଆ ଆଶା ଦେଖାଇଛନ୍ତି । କିନ୍ତୁ  ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ-ସତରେ କ'ଣ ଆନ୍ତରିକତାର ସହ ଦୀର୍ଘଦିନର ବିବାଦର ସମାଧାନ ହେବ ।  ଓଡିଶା କଥା ରଖିବ କି ଛତିଶଗଡ ? ଓଡ଼ିଶା କଥା ରଖିଲେ ଛତିଶଗଡ ସରକାର ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେବେନି ତ ? କେନ୍ଦ୍ର କାହା କଥା ଶୁଣିବ? କାମ ବନ୍ଦ କରିବ କି ଛତିଶଗଡ?  ମହାନଦୀ ଜଳ ବିବାଦର ସମାଧାନ ନେଇ ଏବେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଛି । ଆଉ ଟ୍ରିପଲ ଇଞ୍ଜିନ କଥା କହି ମୋହନ ମାଝୀ ରାଜ୍ୟରେ ମାଷ୍ଟ୍ରର ଷ୍ଟ୍ରୋକ୍‌ ଖେଳିଛନ୍ତି ।

Advertisment

ମହାନଦୀର ଉପରମୁଣ୍ଡରେ ଛତିଶଗଡ କଲମା ବ୍ୟାରେଜ କରିସାରିଲାଣି। ଫଳରେ ଓଡିଶାରେ ମହାନଦୀ ଶୁଖିଲା ପଡିଲାଣି। ହୀରାକୁଦରେ ବି ଜଳସ୍ତର କମୁଛି। ବିରୋଧୀ ଦଳରେ ଥିବାବେଳେ  ବିଜେପି ସରକାରଙ୍କ ଉପରେ ଗର୍ଜୁଥିଲା ଆଉ ଏବେ ବିଜେଡି ବିରୋଧୀ ଭୂମିକାକୁ ଆସିବା ପରେ ବିଜେପି ଉପରେ ଗର୍ଜୁଛି । ଆଉ ଏହା ମହାନଦୀ ଜଳବିବାଦ ସମାଧାନ କରିବାରେ ଦୁଇ ଦଳର ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଗତକାଲି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ରାଜନୈତିକ ବୟାନବାଜି ବି ଜୋର ଧରିଛି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି । କିନ୍ତୁ ସମାଧାନର ବାଟ ଫିଟୁନାହିଁ । ଏବେ  ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ପ୍ରଶ୍ନ ଉଠୁଛି, ଟ୍ରିପଲ ଇଞ୍ଜିନ ସରକାର ସମସ୍ୟାର ସମାଧାନ କରିବେ ନା ରାଜନୀତିରେ ପେଶି ହୋଇଯିବ ମହାନଦୀ ଜଳ ବିବାଦ ?